ଅପରାଧ

ଟିଟୋଙ୍କ ୮ ସହଯୋଗୀ ଗିରଫ

ଆଓରି-କଟକ(୧୮/୭) : ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ କେନ୍ଦ୍ରାପଡା ବାରିମୂଳ ଜେଲରେ ରହି ସହଯୋଗୀଙ୍କ ଦ୍ୱାରା ବାହାରେ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଟିଟୋଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ସେହିପରି ତାଙ୍କ ଆପରାଧିକ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବା ପାଇଁ ସହଯୋଗୀମାନଙ୍କୁ ଧରିବା ଲାଗି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ୨ ଶାର୍ପ ଶୁଟରଙ୍କୁ ଗିରଫ କରାଯିବା ପରେ ସୋମବାର ରାତିରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଟିଟୋଙ୍କ ଅନ୍ୟ ୮ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏସ୍‌ଟିଏଫ ଡିଆଇଜି ହିମାଂଶୁ ଲାଲ୍‌ ଏହି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ହେଲେ ଲାଲବାଗ୍‌ ଥାନା ଦିୱାନବଜାର ଅଞ୍ଚଳର ସାଜିଦ୍‌ ଖାନ୍‌, ସେଖ୍‌ ମୁସ୍ତାକ ଓରଫ ମୁଷୁ, ସେଖ୍‌ କାଲାମ ମହମ୍ମଦ, ମେହେନ୍ଦିପୁର ଅଞ୍ଚଳର ମହମ୍ମଦ ଅବଦୁଲ୍‌ ଅସିଫ୍‌ ଓରଫ ଗୋଲ୍ଡେନ୍‌ ପପୁ, ବାଙ୍କବଜାରର ଇମ୍‌ତିଆସ୍‌ ଖାନ୍‌, ମଙ୍ଗଳାବାଗ୍‌ ଥାନା କେଶଭପୁର ଅଞ୍ଚଳର ସେଖ୍‌ ଅବଦୁଲ୍ଲା, ଗମାଣ୍ଡିଆର ଜାହାଙ୍ଗିର୍‌ ଖାନ୍‌। ଅନ୍ୟ ଜଣକ ନାମ ଜଣାପଡ଼ିନାହିଁ। ଏମାନଙ୍କ ନାମରେ ୩୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସେଖ୍‌ ଅବଦୁଲ୍ଲା ଏବଂ ଜାହାଙ୍ଗିର ନିକଟରେ ଗୋଚାଲାଣ ମାମଲାରେ ଗିରଫ ହୋଇଥିଲେ। ଟେଣ୍ଡର ଫିକ୍ସିଂ, ବଟି ଆଦାୟ ଓ ଟିଟୋଙ୍କ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଅଭିଯୁକ୍ତମାନଙ୍କ ଭୂମିକା ଓ ସହଯୋଗ ରହିଛି। ସେ ଦିଗରେ ମଧ୍ୟ ଏସ୍‌ଟିଏଫ୍‌ ଖୋଳତାଡ କରୁଛି। ଜେରା ପରେ ଟିଟୋ କଟକରେ ଘଟାଇଥିବା ବିଭିନ୍ନ ଅପରାଧ ତାଲିକା ଏସ୍‌ଟିଏଫ୍‌ ହାତରେ ଲାଗିଥିବା ସୂଚନା ମିଳିଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ରାପଡା ବାରିମୂଳ ଜେଲରେ ଟିଟୋ ରହିଲେ ସେଠାରୁ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। କେନ୍ଦ୍ରାପଡାରେ ଟିଟୋଙ୍କ ଲିଙ୍କ୍‌ରେ ଏକାଧିକ ବ୍ୟକ୍ତି ଥିବାରୁ ସେମାନଙ୍କ ସାହାଯ୍ୟରେ ସାକ୍ଷୀମାନଙ୍କୁ ଧମକ ଦେବା ସହ ପ୍ରମାଣ ନଷ୍ଟ ମଧ୍ୟ କରିପାରନ୍ତି। ଏପରିକି ଜେଲ କର୍ମଚାରୀଙ୍କୁ ହାତ କରି ବେଆଇନ କାର୍ଯ୍ୟ କରିବା ଆଶଙ୍କା ରହିଛି। ତେଣୁ ତାଙ୍କୁ ସେଠାରୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହେଉଥିବା ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପଟେ କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ଅବଦୁଲ ରହମନଙ୍କ ଭାଇଙ୍କୁ ଗୁଳିମାଡ଼ ମାମଲାରେ ଟିଟୋଙ୍କ ସିଧାସଖଳ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି। ତେଣୁ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଛି।

ତେବେ ଏସ୍‌ଟିଏଫ୍‌ ଟିଟୋଙ୍କ ପଲିଟିକାଲ ଲିଙ୍କ୍‌ ଖୋଜିବାରେ ବିଫଳ ହୋଇଛି। ଟିଟୋ ଏକାଧିକ ରାଜନେତାଙ୍କ ସହ ମିଶୁଥିଲେ। ସେମାନଙ୍କ ଦ୍ୱାରା ଟେଣ୍ଡର ଓ ଅନ୍ୟ ସରକାରୀ ସୁବିଧା ହାସଲ କରୁଥିଲେ। କିନ୍ତୁ ସେ ଦିଗରେ ତଦନ୍ତ କରାଯାଉ ନ ଥିବାରୁ ଏସ୍‌ଟିଏଫ୍‌ର ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button