୫୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଅନେକ ବିକାଶମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୧୮/୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀଠାରେ ୫୫୭କୋଟି ୩୯ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପୁରୁଣା କାଶୀଠାରେ ଏକ ସମନ୍ୱିତ ବିଦ୍ୟୁତ୍ ବିକାଶ ଯୋଜନା ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଅଟଳ ନବୋନ୍ମେଷ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ବାରାଣାସୀକୁ ପୂର୍ବ ଭାରତର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାର ଯଥାସମ୍ଭବ ଉଦ୍ୟମ କରିଛନ୍ତି। ବାରଣାସୀ ସହରର ରିଙ୍ଗରୋଡ଼ କଡରେ ନୂଆ ସଡ଼କମାନ ନିର୍ମାଣ କରାଯାଉଛି ଓ ଚାରିବର୍ଷ ପରେ ଏହାର ସୁଫଳ ଦେଖିବାକୁ ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି।
ନିଜ ସଂସଦୀୟ କ୍ଷେତ୍ରକୁ ଦୁଇଦିନିଆ ଗସ୍ତ ଅବସରରେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମନ୍ଦିର ନଗରୀ ବାରଣାସୀରେ ପହଞ୍ଚିଥିଲେ। ସେ ବାରଣାସୀ ଉପକଣ୍ଠ ନରୁର୍ ଗ୍ରାମକୁ ଯାଇ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେହି ପିଲାମାନଙ୍କୁ ଦେଶର ଭବିଷ୍ୟତ ଭାବେ ବର୍ଣ୍ଣନା କରିବା ସହ କ୍ରୀଡ଼ା ଓ ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ପରେ ପ୍ରଧାନମନ୍ତ୍ରୀ କାଶୀ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ଅଙ୍ଗନବାଡ଼ି ଏବଂ ଆଶାକର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ସେଠାରେ ଭିଡ ଜମାଇଥିଲେ।