ଜାତୀୟରାଜନୀତି

ଗାନ୍ଧୀ ପରିବାରର ଫାଇଦା ପାଇଁ ୧୯୭୫ରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା ;ପ୍ରଧାନମନ୍ତ୍ରୀ ମୋଦି

ଆଓରି-ନୂଆଦିଲ୍ଲୀ(୨୬/୬) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି ନେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ଦେଶର ଗଣତନ୍ତ୍ର ସହିତ ସାଲିସ କରିଥିବା କଂଗ୍ରେସର ଅସଲ ଚେହେରାକୁ ଆଜିର ଯୁବପିଢ଼ି ଚିହ୍ନି ରଖିବା ଦରକାର ବୋଲି କହିଛନ୍ତି।

୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏହାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ସ୍ୱାର୍ଥ ସାଧନ ଲାଗି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। କ୍ଷମତାରେ ରହିବାର ଲାଳସା ଏଭଳି ଥିଲା ଯେ ଗଣତନ୍ତ୍ରକୁ ବଳି ପକାଇ ଦିଆଯାଇଥିଲା। ଦେଶର ସମ୍ମାନାସ୍ପଦ ରାଜନେତାଙ୍କୁ ଜେଲର ଚାରିକାନ୍ଥ ଭିତରକୁ ଠେଲି ଦିଆଯାଇଥିଲା। ଏସବୁ କେବଳ ଗୋଟିଏ ପରିବାରର ସ୍ୱାର୍ଥ ସାଧନ ଲାଗି କରାଯାଇଥିଲା। ଗାନ୍ଧୀ ପରିବାରର ଫାଇଦା ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା।

ଜରୁରୀ ପରିସ୍ଥିତି ଜାରିର ୪୩ ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁମ୍ବାଇରେ ଅନୁଷ୍ଠିତ ‘ଡେଜ୍‌ ଅଫ ଏମରଜେନ୍ସି’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସମୟରେ ସେ କହିଥିଲେ, ‘ଜରୁରୀକାଳୀନ ପରିସ୍ଥିତିରେ ନ୍ୟାୟାପାଳିକାକୁ ମଧ୍ୟ ସାଲିସ୍‌ଜନକ ସ୍ଥିତିକୁ ଠେଲି ଦିଆଯାଇଥିଲା। ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ମଧ୍ୟ ଆଗତ କରାଯାଇଥିଲା। ଯିଏ ଏହା ବିରୋଧରେ ସ୍ୱର ଉଠାଉ ଥିଲା ତାକୁ ଜେଲ୍‌ରେ ଭର୍ତ୍ତି କରିଦିଆଯାଉଥିଲା।’

କଂଗ୍ରେସକୁ କଟାକ୍ଷ କରି ସେ କହିଥିଲେ, ଯେତେବେଳେ ଏହି ଦଳ ନିଜର ସ୍ଥିତି ନେଇ ସନ୍ଦିହାନ ହୁଏ, ସେତେବେଳେ ଚିତ୍କାର କରେ କି ଦେଶ ସଂକଟ ଭିତରକୁ ଠେଲି ହୋଇଯାଉଛି। ଦେଶରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ସେ ଦଳ କିଭଳି ଦେଶରୁ ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେବ ବୋଲି ମୋଦି ପ୍ରଶ୍ନ ଉଠାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button