ରାଜ୍ୟ

ବାଜପେୟୀଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ପ୍ରଟୋକଲ୍‌ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ଆଓରି-ନୂଆଦିଲ୍ଲୀ(୨୫/୬) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ସନ୍ଧ୍ୟାରେ ସମସ୍ତ ପ୍ରଟୋକଲ୍‌କୁ ଭାଙ୍ଗି ବିନା କୌଣସି ସୁରକ୍ଷା ଓ ସୂଚନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ନୂଆଦିଲ୍ଲୀର ଏମଏସ୍‌ରେ ଯାଇ ପହଞ୍ଚିଲେ ଓ ସେଠାରେ ବିନା ସୁରକ୍ଷାରେ ଦୀର୍ଘ ୪୫ ମିନିଟ କାଳ ଅତିବାହିତ କରିଥିଲେ। ଏକଥା ଜଣା ପଡ଼ିବା ପରେ ଏବେ ଏହାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଅପରପକ୍ଷେ ବିଭିନ୍ନ ଆତଙ୍କବାଦୀ ଓ ନକ୍ସଲବାଦୀ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲାଖୋଲି ହତ୍ୟା କରିବା ପାଇଁ ଧମକ ଦେଉଥିବା ବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏ ପ୍ରକାରର ପ୍ରଟୋକଲ୍‌ ଉଲ୍ଲଂଘନ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ସ୍ପେଶାଲ୍‌ ପ୍ରୋଟେକସନ୍‌ ଗ୍ରୁପ୍‌ (ଏସ୍‌ପିଜି)ର ଚିନ୍ତାକୁ ମଧ୍ୟ ବଢ଼ାଇ ଦେଇଛି।

ହସ୍ତଗତ ହୋଇଥିବା  ବିବରଣୀରୁ ପ୍ରକାଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ କାହାକୁ କିଛି ନ ଜଣାଇ ସଙ୍ଗରେ କୌଣସି ଏସ୍‌ପିଜି ସୁରକ୍ଷା କର୍ମୀଙ୍କୁ ନ ନେଇ ତାଙ୍କ ନୂଆଦିଲ୍ଲୀ ସ୍ଥିତ ୭ ଲୋକ କଲ୍ୟାଣ ମାର୍ଗରୁ ଏକୁଟିଆ ବାହାରି ଯାଇ ସିଧା ପହଞ୍ଚିଥିଲେ ଏମଏସ୍‌ରେ। ଏମଏସ୍‌ କର୍ତ୍ତୃପକ୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ କୌଣସି ପ୍ରକାରର ପ୍ରାକ୍‌ ସୂଚନା ପାଇ ନ ଥିଲେ। ଏମଏସ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସିଧାଯାଇ ପହଞ୍ଚିଥିଲେ ସେଠାରେ ଚିକିତ୍ସାଧୀନ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ନିକଟରେ। ପରେ ସେ ବାଜପେୟୀଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଏମଏସ୍‌ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସହିତ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଦୀର୍ଘ ୪୫ ମିନିଟ ଧରି ଆଲୋଚନା କରିବା ପରେ ନିଜ ସରକାରୀ ବାସଭବନକୁ ଫେରିଥିଲେ।

ଉଲ୍ଲେଖଯୋଗ୍ୟ, ବୟସାଧିକ୍ୟ କାରଣରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗତ ଜୁନ୍‌ ୧୧ ତାରିଖରେ ଏଆଇଆଇଏମଏସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବାଜପେୟୀଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସୁଛି ଏବଂ ସେ ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଫେରିଯିବେ ବୋଲି କୁହା ଯାଉଥିଲେ ମଧ୍ୟ ଗତ ଦୁଇଦିନ ତଳେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥଲା ଏବଂ କିଛି ଘଣ୍ଟା ପାଇଁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ଏହି ଘଟଣାରେ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଗତକାଲି କାହାକୁ କିଛି ନଜଣାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ନୂଆଦିଲ୍ଲୀର ଏଆଇଆଇଏମଏସ୍‌ରେ ପହଞ୍ଚିଥିବା କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button