ରାଷ୍ଟ୍ରପତି ଭବନରେ ବେହୋସ ହୋଇ ପଡ଼ିଯାଇଥିବା ଆଇଏଏଫ୍ ଗାର୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି
1 min read
ଆଓରି-ନୂଆଦିଲ୍ଲୀ(୨୫/୬) : ସୋମବାର ଦିନ ସିଚେଲ୍ସ୍ର ରାଷ୍ଟ୍ରପତି ଡେନି ଫାଉରେଙ୍କୁ ଭବ୍ୟ ସ୍ୱାଗତ ଦେବା ବେଳେ ଭୀଷଣ ଗୁଳୁଗୁଳି ଯୋଗୁଁ ଜଣେ ଆଇଏଏଫ୍ ଗାର୍ଡ ଚେତା ହରାଇ ପଡ଼ିଯାଇଥିଲେ।
ମୁଣ୍ଡଫଟା ଖରାରେ ରାଷ୍ଟ୍ରପତି ଭବନରେ ସିଚେଲ୍ସ୍ର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଓ ଗାର୍ଡ ଅଫ୍ ଅନର୍ ଦିଆ ଯାଇଥିଲା। ପ୍ରତିକୂଳ ପାଗରେ ମଧ୍ୟ ଆଇଏଏଫ୍ ଗାର୍ଡମାନେ ‘ସାବଧାନ’ ମୁଦ୍ରାରେ ଠିଆ ହୋଇ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଂଶୁଘାତ ଯୋଗୁଁ ପଡ଼ି ଯାଇଥିଲେ ବୋଲି ଜଣାପଡ଼ିଥିଲା।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଫାଉରେଙ୍କୁ ସ୍ୱାଗତ କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବ ଶେଷରେ ଯାଇ ସେ ଗାର୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ।
ଆଜିକାଲି ଦିଲ୍ଲୀରେ ପ୍ରଚଣ୍ଡ ଗରମ ହେଉଛି। ତାପମାତ୍ରା ସାଧାରଣ ଠାରୁ ତିନିରୁ ପାଞ୍ଚ ଡିଗ୍ରି ଅଧିକ ରହୁଛି। ଏ ସପ୍ତାହ ସାରା ଝାଞ୍ଜି ପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ଜୁନ୍ ୨୯ ତାରିଖ ପରେ ହିଁ ଯାଇ ଦିଲ୍ଲୀ ଅଞ୍ଚଳରେ ମୌସୁମି ବାୟୁ ପ୍ରବେଶ କରିବ।