ରାଜନୀତିରାଜ୍ୟ

ମଧ୍ୟପ୍ରଦେଶରେ ଆୟୋଜିତ ମହାକୁମ୍ଭରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୨୫/୯) : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ମହାକୁମ୍ଭ ନାମରେ ବିଜେପି କର୍ମକର୍ତ୍ତା ରାଜ୍ୟରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥିନିମନ୍ତେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ବିଜେପିର ଅନ୍ୟାନ୍ୟ ନେତା ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଛନ୍ତି।

ଆୟୋଜିତ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଏହା ତାଙ୍କ ପାଇଁ ସୌଭାଗ୍ୟର କଥା। ଦେଶର ସେବା ମନୋଭାବ ବିଜେପି କର୍ମୀଙ୍କ ରକ୍ତରେ ପ୍ରବାହିତ ହେବା ଆବଶ୍ୟକ। ଏଥିପାଇଁ ଦୀନଦୟାଲଙ୍କ ଜନ୍ମ ଶତବାର୍ଷିକୀ କୁ ଆମେ ମହାସମାରୋହ ପରିବର୍ତ୍ତେ ବିଭିନ୍ନ ସେବାମୂଳକ କାର୍ଯ୍ୟ ଭାବେ ପାଳନ କରିଥାଉ। ମଧ୍ୟପ୍ରଦେଶରେ ଦଳର ସାଂଗଠନିକ ଶକ୍ତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ। ତେଣୁ ବିଗତ କିଛି ବର୍ଷ ଧରି ୨୫ସେପ୍ଟେମ୍ବର ଦିନ ଆମେ ମହାକୁମ୍ଭ ପାଳନ କରି ଆସୁଛୁ। ଏହି ମହାକୁମ୍ଭରେ ଜଣେ ସାଧାରଣ କର୍ମୀଭାବେ ପୂର୍ବରୁ ମୋଦୀ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ। କଂଗ୍ରେସ ସରକାର ଅମଳରେ ମଧ୍ୟପ୍ରଦେଶ ଗରିବ ଓ ଅନୁନ୍ନତ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ଏବେ ବିଜେପି ଶାସନରେ ମଧ୍ୟପ୍ରଦେଶ ଏକ ବିକଶିତ ରାଜ୍ୟରେ ପରିଣତ ହୋଇଛି।

କାର୍ଯ୍ୟକ୍ରମରେ ଦଳର ଅଧ୍ୟକ୍ଷ ଅମୀତ ଶାହ ଯୋଗ ଦେଇ କହିଲେ ଯେ ମାତ୍ର ୧୦ଜଣ ସାଦସ୍ୟଙ୍କୁ ନେଇ ବିଜେପି ମଧ୍ୟପ୍ରଦେଶରେ ଆରମ୍ଭ ହୋଇଥିଲା। ଆଜିର ଦିନରେ ବିଜେପି ୧୦କୋଟି କର୍ମକର୍ତ୍ତାଙ୍କୁ ନିଜ ସହ ଯୋଡ଼ିବାରେ ସଫଳ ହୋଇଛି। ଆଗାମୀ ବର୍ଷ ଦୀନଦୟାଲଙ୍କ ଜନ୍ମବାର୍ଷିକୀ ପାଳନ କରାଯାଉ ଥିବା ଆଉ ୫ଟି ରାଜ୍ୟର ନିର୍ବାଚନ ସମ୍ପନ୍ନ ହୋଇଯାଇ ଥିବ। ଏସବୁ ରାଜ୍ୟରେ ମଧ୍ୟ ବିଜେପି ସରକାର କରୁଥିବ। କେବଳ ଦେଶ କିମ୍ବା ରାଜ୍ୟ କାହିଁକି ବିଶ୍ୱରେ ଭାରତର ସମ୍ମାନ ବଢିଛି। ପ୍ରଧାନମନ୍ତ୍ରୀ ଯେଉଁଠାକୁ ଯାଉଛନ୍ତି ସେଠାରେ ମୋଦୀ ମୋଦୀର ନାରା ଶୁଣିବାକୁ ମିଳୁଛି। ଦେଶର ସମସ୍ତ ଗ୍ରାମରେ ବିଜୁଳି ପହଞ୍ଚାଇବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ୭.୫କୋଟି ପରିବାରରେ ଶୌଚାଳୟ ନିର୍ମାଣ କରାଯାଇ ପାରିଛି। ଦେଶର ବିକାଶ ଓ ମୋଦୀ ସରକାରରେ ସାମିଲ ହେବା ପାଇଁ ବିଜେପିର ନୂଆ ଆପ୍‍ ଡାଉନଲୋଡ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଦଳର ଅଧ୍ୟକ୍ଷ ଅମୀତ ଶାହ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଭାରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୟୁଷ୍ମାନ ଯୋଜନାକୁ ପ୍ରଶଂସା କରିବା ସହ ଏହା ଦ୍ୱାରା ଜଣେ ଗରିବ ଦେଶର ନାମୀ ଦାମୀ ଡାକ୍ତରଖାନାରେ ଚିକିତ୍ସିତ ହେବାର ସୁଯୋଗ ପାଇବେ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ୟୁପିଏ ସରକାର ମଧ୍ୟପ୍ରଦେଶକୁ କେବଳ ୩୦ହଜାର କୋଟି ଟଙ୍କା ପ୍ରଦାନ କରୁଥିବାବେଳେ ମୋଦୀ ସରକାର ରାଜ୍ୟକୁ ୬୧ହଜାର କୋଟି ଟଙ୍କା ପ୍ରଦାନ କରି ବିକାଶକୁ ଗତିଶୀଳ କରିଛନ୍ତି। ୟୁପିଏ ସରକାର ରେଳବାଇର ବିକାଶ ନିମନ୍ତେ ମାତ୍ର ୬୦୦କୋଟି ପ୍ରଦାନ କରୁଥିଲେ; ହେଲେ ମୋଦୀ ସରକାର ଏହାକୁ ୩୦୦୦କୋଟିକୁ ବୃଦ୍ଧି କରିଛନ୍ତି। ଆଜି କେବଳ ମଧ୍ୟପ୍ରଦେଶରେ ଏକକାଳୀନ ୭ଟି ସ୍ମାର୍ଟ ସିଟି ନିର୍ମାଣ ହେଉଛି। ଏସବୁ ଉପଲବ୍ଧି ପାଇଁ ମୋଦୀ ସରକାରଙ୍କୁ ଭଗବାନର ବରଦାନ ସହ ତୁଳନା କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନ ଆହୁରି କହିଲେ ଯେ ୟୁପିଏ ସରକାରଙ୍କ ନୀତି ଆଦର୍ଶ କିଛି ନାହିଁ। ସଂସଦ ମଧ୍ୟରେ ଆଖି ମାରିବା, କେତେବେଳେ କୈଳାସ ଯାଇ ନିଜକୁ ଶିବଭକ୍ତ ଭାବେ ପ୍ରଚାର କରିବା କଂଗ୍ରେସ ଅଧ୍ୟକ୍ଷଙ୍କ ପ୍ରବୃତ୍ତିରେ ପରିଣତ ହୋଇଯାଇଛି। ରାଜନୀତିକୁ ବ୍ୟଙ୍ଗରେ ପରିଣତ କରିଦେଇଥିବା ଏହି ଯୁବ ନେତାଙ୍କୁ ମୂଳା ମାଟି ତଳେ ହୁଏ କି ଉପରେ ଏହା ମଧ୍ୟ ଜଣା ନାହିଁ।

ସେହିପରି ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାହୁଲ ଗାନ୍ଧି ଶିବରାଜ ସରକାରଙ୍କୁ ଘୋଷଣା ମେସିନ ବୋଲି ସମ୍ବୋଧନ କରିଥିଲେ। ଏହାର ଉତ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବ୍ୟଙ୍ଗ ମେସିନ ବୋଲି ସମ୍ବୋଧିତ କରିଛନ୍ତି। କଂଗ୍ରେସ ଏକ ଏଭଳି ଦଳ ଯାହାର ନେତା କିଏ ଜଣା ନାହିଁ। କେଉଁଠି ସିନ୍ଧିଆଙ୍କ ନେତୃତ୍ୱ ଚାଲିଛି ତ’ କେଉଁଠି କମଲନାଥ ସରକାର। ଭୋପାଳର ଜମ୍ବୁରୀ ପଡ଼ିଆରେ ଆୟୋଜିତ କର୍ମକର୍ତ୍ତାଙ୍କ ମହାକୁମ୍ଭ ବିଜେପି ନିଜ ସାଂଗଠନିକ ଶକ୍ତିକୁ ସୁଦୃଢ କରିବା ନିମନ୍ତେ ଆୟୋଜିତ କରିଛି। ଏହାକୁ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ବୋଲି ଦାବି କରାଯାଉଛି। ଗାୟକ କୈଳାଶ ଖେରଙ୍କ ସଙ୍ଗୀତ ଦ୍ୱାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଥିବାବେଳେ ମଞ୍ଚରେ ଉମା ଭାରତୀ, କୈଳାଶ ବିଜୟବର୍ଗିୟ, ରାକେଶ ସିଂହ ପ୍ରମୁଖ ରାଜ୍ୟର ଛାମୁଆ ନେତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button