April 20, 2024

ଓଡିଶାବାସୀ ଦୃଢ ସରକାର ଗଢିବା ପାଇଁ ୨୧ରୁ ୨୧ ଆସନ ବିଜେପିକୁ ଦେବେ ; ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra Pradhan-Target-Naveen-Patnaik-Aajira-Odisha

ଆଓରି-ଭୁବନେଶ୍ଵର(୨୫/୦୩) : ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର । କିଏ, କଣ ମୁଦ୍ଦା ନେଇ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁପ୍ଲିଣ୍ଟ । ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି । କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ମୁଦ୍ଦା କରିବା ସହ ଶଙ୍ଖରେ ଭୋଟ ପାଇଁ ଲୋକଙ୍କୁ କହିଛନ୍ତି । ଏହାସହ ବିଜେପି ଉପରେ ବର୍ଷି ୨୧ରୁ ୨୧ଟା ଲୋକସଭାରେ ବାଜି ମାରିବେ ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ନବୀନଙ୍କ ଦମ୍ଭୋକ୍ତିକୁ ପାଣିଚିଆ କରି ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାୟାବତୀ, ମମତା ଓ ଚନ୍ଦ୍ରବାବୁଙ୍କ ପରି ଦୃଢ ନୁହେଁ ଦୁର୍ବଳ ସରକାର କେନ୍ଦ୍ରରେ ଚାହୁଁଛନ୍ତି ନବୀନ । ଓଡିଶାବାସୀ ମୋଦିଙ୍କ ନେତୃତ୍ୱରେ ଦୃଢ ସରକାର ଗଢିବା ପାଇଁ ୨୧ରୁ ୨୧ ଆସନ ବିଜେପିକୁ ଦେବେ ବୋଲି ନବୀନଙ୍କ ୨୧ରୁ ୨୧ ସାଂସଦ ଆସନ ଜିତିବା ନେଇ ଦାବୀ ପରେ କଡା ଜବାବ ରଖି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ରୁ ୨୧ଟି ଲୋକସଭାରେ ବିଜେଡି ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ମାତ୍ର ଆଗାମୀ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ବିଜେପି ସମସ୍ତ ୨୧ରୁ ୨୧ଟି ଲୋକସଭା ଆସନ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ମେ ମାସ ଶେଷ ସପ୍ତାହରେ ଜଣାପଡିବ କିଏ କେତେ ଆସନ ଜିତିବ ? ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଇଲେଣି । ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ପକ୍କା ଘର ମିଳିବାର ଭରସା ନରେନ୍ଦ୍ର ମୋଦିଙ୍କ ଉପରେ ଓଡିଆ ଲୋକଙ୍କର ରହିଛି । ବିଜେପି ହିଁ ସମସ୍ତ ୨୧ ଲୋକସଭା ଆସନ ଜିତିବ ।

ସେ କହିଛନ୍ତି ଯେ ରାହୁଲ ଓ ନବୀନଙ୍କ ପରମର୍ଶଦାତା ସାମ୍ ପିଟ୍ରୋଡା । ଭାରତର ପାକିସ୍ତାନ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣକୁ ପିଟ୍ରୋଡା ବିରୋଧ କରିଥିଲେ । ଶହୀଦ ପରିବାରକୁ ନବୀନଙ୍କ ଗୁଣ୍ଡା ବିଧାୟକଙ୍କ ଅପମାନ ସତ୍ୱେ ନବୀନ ନୀରବ । ଏହା ଓଡିଶାବୀସୀଙ୍କୁ ଲଜ୍ଜିତ କରିଛି । କଂଗ୍ରେସ ଦେଶରେ ଦୁର୍ବଳ ସରକାର ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଶରେ ଦୁର୍ବଳ ସରକାର କେମିତି ଚାହିଁବେନି ? ତେଣୁ କଂଗ୍ରେସ ଲାଇନ୍‌ରେ ନବୀନ ମନ୍ତବ୍ୟ ଦେବା ସ୍ୱାଭାବିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଜଣେ କୁହାଳିଆ ନେତା ଦୁଇ ଦିନ ତଳେ ଭାରତୀୟ ଜନତା ପାର୍ଟିର ଟିକେଟ୍ କୁଆଡେ ଗଲା ବୋଲି ପ୍ରଶ୍ନ କରୁଥିଲେ । ବିଜୁ ଜନତା ଦଳ ଟିକେଟ୍ ବାଂଟିନଥିଲେ ବିଜେପି ଟିକେଟ୍ ବାଂଟି ପାରିନଥାନ୍ତା ବୋଲି କହିଥିଲେ । ଯେ ପ୍ରାଇସ, ପ୍ରେଷ୍ଟିଜ୍, ପେନସେନ୍ ନାଁରେ ଓଡିଆ ଚାଷୀମାନଙ୍କ କାନ୍ଧ ଉପରେ ଛିଡା ହୋଇ ନେତା ହୋଇଥିଲେ କିନ୍ତୁ ନିଜ ସ୍ୱାର୍ଥ, ପ୍ରାଇସ ଓ ପେନସନ ପାଇଁ ବ୍ୟବସ୍ଥା କରିଥିଲେ,ସେ ଆଜି ଥଟ୍ଟା କରୁଛନ୍ତି । ଏବେ ବିଜେଡି ପ୍ରାର୍ଥୀ ଘୋଷଣା କରିବ ନାହିଁ ବୋଲି ଗଣମାଧ୍ୟମ କହୁଛି । ପ୍ରତିଦିନ ଅନେକ ନେତା ବିଜେଡି ଛାଡୁଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜେଡି ସାଂସଦ ଭର୍ତୃହରିଙ୍କୁ ଅର୍ଥ ସଂସଦୀୟ କମିଟିର ଅଧ୍ୟକ୍ଷ ପାଇଁ ସେ ମୋଦିଙ୍କ ଦୂତ ଭାବେ ଯୋଗାଯୋଗ କରିଥିଲେ ମଧ୍ୟ ବିଜେଡି ଏହାକୁ ପ୍ରତ୍ୟାଖାନ କରିଥିଲା । ବିଜେଡି ସାଂସଦମାନେ ସଂସଦରେ ଓଡିଶାର ସମସ୍ୟା କଥା ନଉଠାଇ ପ୍ରତିରକ୍ଷା ଦଲାଲ ମିଶେଲ ମାମାର ଭୋଜି ଖାଉଛନ୍ତି । ମିଶେଲ ମାମାର ଭୋଜି ଖାଉଥିବା ଦଳର ନାଁ ହେଲା ବିଜେଡି । ସେହିପରି ଓଡିଆ ଲୋକକୁ ରାଜ୍ୟସଭାରେ ଉପସଭାପତି ଦାୟିତ୍ୱ ମିଳିଥିଲା ।

ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ଉପସଭାପତି ପାଇଁ ପ୍ରସ୍ତାବ ଦିଆଯାଇଥିଲା  । ଏ ନେଇ ପ୍ରସ୍ତାବରେ ସେ ମଧ୍ୟସ୍ଥି ସାଜିଥିଲେ ମଧ୍ୟ ଏହାକୁ ବିଜେଡି ଗ୍ରହଣ କରିନଥିଲା । ଓଡିଆ ଲୋକଙ୍କୁ ବଡ ପଦବୀକୁ ନବୀନ ପ୍ରତ୍ୟାଖାନ କରୁଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅରୁଣଖମ୍ଭ ପାଖରେ ଠିଆ ହୋଇ ଏହା ସତ କି ନାହିଁ କହିବାକୁ ନବୀନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ୩୩ ପ୍ରତିଶତ ସ୍ଥାନ ମହିଳା ସଂରକ୍ଷଣ କଥା କହୁଥିବା ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଓଡିଶାର ମହିଳା ଦେଶରେ ସବୁଠୁ ଅସୁରକ୍ଷିତ ବୋଲି ସେ କହିଛନ୍ତି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.