ରାଜ୍ୟ

ପାଟଣାଗଡରେ ବିଜେଡ଼ି ବିଧାୟକ ସରୋଜକାନ୍ତ ମେହେରଙ୍କ ଦାଦାଗିରି

ଆଓରି-ଭୁବନେଶ୍ଵର(୦୬/୦୬) : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ନବନିର୍ବାଚିତ ବିଜେଡ଼ି ବିଧାୟକ ସରୋଜକାନ୍ତ ମେହେରଙ୍କ ଦାଦାଗିରି । ଠିକା କାମକୁ ନେଇ ସର୍ବସାଧାରଣଙ୍କ ସମ୍ମୁଖରେ କଙ୍ଗାରୁ କୋର୍ଟ ପରି ବସ ଉଠ କରାଉଛନ୍ତି ପୁର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ । କେବଳ ସେତିକି ନୁହେଁ, ୧୦୦ ଥର ବସ ଉଠ ନହେଲେ ସର୍ବସାଧାରଣ ନିସ୍ତୁକ ପିଟିବେ ବୋଲି ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି ବିଧାୟକ ମହାଶୟ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଲୋକଲୋଚନକୁ ଆସିଛି ।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ କାନ ଧରି ବସ ଉଠ ହେବାକୁ କହୁଛନ୍ତି । ସେ ଦୁଇ ତିନି ଥର ବସ ଉଠ ହେବା ପରେ ତାଙ୍କୁ ୫ ମିନିଟରେ ୧୦୦ ଥର ବସ ଉଠ ହେବାକୁ ବାରମ୍ବାର ଜୋର ଦେଇ କହୁଛନ୍ତି । ତଥାପି ସଂପୃକ୍ତ ଯନ୍ତ୍ରୀ ମୋର ଭୁଲ ହୋଇଛି ବୋଲି ହାତ ଯୋଡି କହିଲେ । ମାତ୍ର ସେ କଥା ବିଧାୟକ ଶୁଣିବାକୁ ନାରାଜ । ଯଦି ୧୦୦ ଥର ବସ ଉଠ ନହେବ, ତେବେ ଜନସଧାରଣ ନିସ୍ତୁକ ମାଡ ମାରିବାକୁ ଏମଏଲଏ ଅର୍ଡର ଦେଉଛନ୍ତି ବୋଲି ଗର୍ବରେ କହୁଛନ୍ତି ବିଧାୟକ । ଲୋକ ପ୍ରତିନିଧି ଭାବେ ଜଣେ ବିଧାୟକ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବା କଥା । ଯଦି ପ୍ରଶାସନ ନଶୁଣେ, ତେବେ ତାହାକୁ ବିଧାନସଭାରେ ଉଠାଯାଇ ପାରିବ । ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ସ୍ଥାନୀୟ ପ୍ରଶାସନକୁ କାର୍ଯ୍ୟକରିବା ପାଇଁ ନିର୍ଦେଶ ଦେଇପାରିବେ ।

ସ୍ଥାନୀୟ ପ୍ରଶାସନ ସରକାରୀ ନିୟମ ଅନୁସାରେ କାର୍ଯ୍ୟକରିବେ । ମାତ୍ର ଜଣେ ବିଧାୟକ ବିଚାରକ ଆସନରେ ବସି ସରକାରୀ କର୍ମଚାରୀଙ୍କୁ ସର୍ବସାଧାରଣରେ କାନ ଧରି ବସ ଉଠ କରାଇବା କେତେ ଦୂର ଆଇନ ସମ୍ମତ । ଏହାଦ୍ୱାରା ସଂପୃକ୍ତ ଯନ୍ତ୍ରୀଙ୍କର ମାନବାଧିକାର ଉଲ୍ଲଘଂନ ହେଉ ନାହିଁକି ? ଜଣେ ଲୋକ ପ୍ରତିନିଧି ଭାବେ ଆଇନକୁ ନିଜ ହାତକୁ ନେବା କେତେଦୂର ଯଥାର୍ଥ ଏବଂ ସେ କ୍ଷମତା ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

Related Articles

Leave a Reply

Your email address will not be published. Required fields are marked *

Back to top button