ରାଜ୍ୟ

ପାରାଦୀପ ଭବିଷ୍ୟତରେ ଦେଶର ନମ୍ବର ୧ ବନ୍ଦର ହେବ ; ନୀତିନ ଗଡକରୀ

ଆଓରି-ଭୁବନେଶ୍ଵର(୦୬/୦୨) : ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଶୁଭ ଦେବା ସହ ପାରାଦୀପରେ ରିଫାଇନାରୀ ପଲିପ୍ରପିଲିନ ପ୍ଲାଣ୍ଟ ଓ ପାରାଦୀପ ବନ୍ଦରରେ ସ୍ୱଚ୍ଛ କାର୍ଗୋ ପରିବହନ ନିମନ୍ତେ ବହୁମୁଖୀ ବର୍ଥର ଶୁଭ ଉଦଘାଟନ କରିଛନ୍ତି ।  ପାରାଦୀପ ବିଶୋଧନାଗାର ଠାରେ ମନୋଇଥାଇଲିନ ଗ୍ଲାଇକୋଲ କାରଖାନା ଓ ଏଲପିଜି ଆମଦାନୀ ଟର୍ମିନାଲ ନିମନ୍ତେ ମଧ୍ୟ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ କହିଛନ୍ତି ଯେ, ପାରାଦୀପ ପୋର୍ଟ ଭବିଷ୍ୟତରେ ଦେଶର ନମ୍ବର ୧ ବନ୍ଦର ହେବ ।  କେବଳ ଏକ ନମ୍ବର ହେବନି, ଓଡ଼ିଶା ବିକାଶରେ ଗ୍ରୋଥ୍‌ ଇଂଜିନ ହେବ । ଆଗକୁ ଓଡ଼ିଶାରେ ଅଢ଼େଇ ଲକ୍ଷ କୋଟି ନିବେଶ କରାଯିବ ।  ବନ୍ଦର ଓ ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ କରାଯିବ ।  ପାରାଦୀପରେ ଛୋଟ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥିର ହୋଇଛି । ସେହିପରି ପାରାଦୀପରେ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଟେଣ୍ଡର ସରିଛି ।

ସୂଚନାଯୋଗ୍ୟ,  ୩୧୫୦ କୋଟି ଟଙ୍କାରେ ନିର୍ମିତ ବିଶ୍ୱସ୍ତରୀୟ ପଲିପ୍ରପଲିନ୍ କାରଖାନା ପୂର୍ବ ଭାରତର ପ୍ଲାଷ୍ଟିକ ଉଦ୍ୟୋଗ ପାଇଁ ସହାୟକ ହେବ । ୫୬୫୪ କୋଟି ଟଙ୍କା ମୂଲ୍ୟରେ ଅଟକଳ ହୋଇଥିବା ମନୋଇଥାଇଲିନ୍ ଗ୍ଲାଇକୋଲ କାରଖାନା ଓଡିଶାରେ ପଲିଷ୍ଟର ଉଦ୍ୟୋଗ ଟେକ୍ସଟାଇଲ ପାର୍କକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ବାର୍ଷିକ ୦.୬ ମିଲିୟନ ମେଟ୍ରିକ ଟନ୍ ଏଲପିଜି ଆମଦାନୀ ଟର୍ମିନାଲ ୬୯୦ କୋଟିରେ ନିର୍ମିତ ହେଉଛି । ଯାହା ଓଡିଶା ଏବଂ ପଡୋଶୀ ରାଜ୍ୟମାନଙ୍କରେ ସ୍ୱଚ୍ଛ ଜାଳେଣୀ ଗ୍ୟାସ ଉପଲବ୍ଧତାରେ ଉନ୍ନତି କରିବ । ଏହି ପ୍ରକଳ୍ପ ଦ୍ୱାରା ଅଧିକ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଅଞ୍ଚଳର ବିକାଶରେ ସହାୟକ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button