କଳା ଓ ସଂସ୍କୃତି

ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ ; ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ଆଓରି-ଭୁବନେଶ୍ଵର(୧୯/୧୧) : ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ । ଏଥିପାଇଁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ବିଶେଷ କରି ଶ୍ରୀକ୍ଷେତ୍ର ପୁରୀରେ ଭିଡ ଜମିଛି । ଆଜିଠୁ ୫ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଭକ୍ତଙ୍କ ଦର୍ଶନ ଦେବେ । ଆଜି ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।ଦ୍ୱିତୀୟ ଦିନରେ ଶ୍ରୀଜିଉ ବାଙ୍କଚୁଳା ବେଶରେ ଦର୍ଶନ ଦେବେ। ଏହିଦିନ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ। ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶରେ ଶ୍ରୀଜିଉ ଦର୍ଶନ ଦେବେ। ପଞ୍ଚୁକର ଶେଷ ଦିନରେ ଅର୍ଥାତ୍ କାର୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜାଧିରାଜ ବେଶରେ ଦର୍ଶନ ଦେବେ। ପଞ୍ଚୁକ ପାଞ୍ଚ ଦିନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛ

କାର୍ତିକ ମାସ ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ ।  ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।  ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଥିବା ବ୍ୟାରିକେଡକୁ ବଢାଯାଇଛି । ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ବାଇଶି ପାହାଚ, ପରେ କୀର୍ତ୍ତନ ଚକଡା଼ରେ ବ୍ୟାରିକେଡରେ ପ୍ରବେଶ କରି ଶୃଙ୍ଖଳିତ ଭାବେ ଜଗମୋହନ ଦେଇ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 18 ପ୍ଲାଟୁନ ପୋଲିସ ଫୋର୍ସ ପଞ୍ଚୁକ ସମୟରେ ଶ୍ରୀମନ୍ଦିର ଚାରି ଦ୍ୱାରରେ ରହିବେ। ସେହିପରି ସିସିଟିଭି ଦ୍ୱାର ମଧ୍ୟ ନଜର ରଖାଯିବାର ବ୍ୟବସ୍ଥା ହୋଇଛି। ତେବେ ଶ୍ରଦ୍ଧାଳୁ ମାନେ କିଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ ସହ ଶୀଘ୍ର ମହାପ୍ରସାଦ ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯାଇଥିବା ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। କାର୍ତ୍ତିକ ମାସରେ ହାବିଷ୍ୟ କରିବାକୁ ଆସିଥିବା ହାବିଷ୍ୟାଳିମାନେ ବଡ଼ ନିଷ୍ଠା ଓ ଆନନ୍ଦର ଏହି ପଞ୍ଚୁକ ଵ୍ରତ ପାଳନ କରନ୍ତି। ମହାପ୍ରଭୁଙ୍କ ଦର୍ଶନ ପଞ୍ଚୁକ ପାଇ କାର୍ତ୍ତିକ ଵ୍ରତ ଶେଷ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button