ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଧରିଥିବା ପାକିସ୍ତାନୀ କମାଣ୍ଡୋ ଅହମ୍ମଦ ଖାଁ ଭାରତୀୟ ଯବାନଙ୍କ ଗୁଳିରେ ମୃତ
1 min read
ଆଓରି-ନୂଆଦିଲ୍ଲୀ(୨୧/୦୮) : ଫେବୃଆରୀ ୨୭ରେ ପାକିସ୍ତାନ ସୀମାରେ ଖସିପଡ଼ିଥିବା ଭାରତୀୟ ଯୁଦ୍ଧବିମାନ ମିଗ୍-୨୧ର ପାଇଲଟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପାକିସ୍ତାନୀ କମାଣ୍ଡୋ ଅହମ୍ମଦ ଖାଁ ଭାରତୀୟ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।
ଗତ ୧୭ତାରିଖରେ ନିୟନ୍ତ୍ରଣ ରେଖାର ନାକ୍ୟାଲ ସେକ୍ଟରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିଲାବେଳେ ଭାରତୀୟ ଯବାନଙ୍କ ସହ ଗୁଳିବିନିମୟ ହୋଇଥିଲା ଓ ଏଥିରେ ପାକିସ୍ତାନୀ ସେନାରେ ସୁବେଦାର ପଦରେ ଥିବା ଅହମ୍ମଦଙ୍କ ମୃତ୍ୟୁ ହୋଇଥିବା ବିଳମ୍ବରେ ଖବର ମିଳିଛି। ଏହି ଖବର ଅନୁସାରେ ସେଦିନ ପାକିସ୍ତାନୀ ଯବାନ ମୋର୍ଟାର ମାଡ଼ କରିବାରେ ଭାରତୀୟ ଯବାନ ଏହାର ଦୃଢ଼ ଯବାବ ଦେଇଥିଲେ। ଏହି ସମୟରେ ଅହମ୍ମଦଙ୍କ ମୃତ୍ୟୁ ହୋଇଥିଲା। ଫେବୃଆରୀ ୨୭ରେ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କଲାବେଳର ଯେଉଁ ଫଟୋ ପ୍ରସାରିତ ହୋଇଥିଲା ଏଥିରେ ଦାଢ଼ି ରଖିଥିବା ଅହମ୍ମଦ ଅଭିନନ୍ଦନଙ୍କ ପଛରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ଅହମ୍ମଦ ସେତେବେଳେ ଅଭିନନ୍ଦନଙ୍କୁ ନିର୍ଯାତନା ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।