ଆନ୍ତର୍ଜାତୀୟ

ପାକିସ୍ତାନ ସବୁଠୁଁ ଭୟଙ୍କର ରାଷ୍ଟ୍ର ; ଜିମ୍ ମାଟିସ୍‌

ଆଓରି-ନୂଆଦିଲ୍ଲୀ(୦୬/୦୯) : ପାକିସ୍ତାନ ସବୁଠୁଁ ଭୟଙ୍କର ରାଷ୍ଟ୍ର। ଧର୍ମାନ୍ଧତା ଓ ଆଣବିକ ଶକ୍ତି ଦୃଷ୍ଟିରୁ ଏହି ରାଷ୍ଟ୍ର ଅତ୍ୟନ୍ତ ଭୟଙ୍କର। ଏହାର ନେତା କେବେହେଲେ ଦେଶବାସୀଙ୍କ କଥା ଭାବନ୍ତି ନାହିଁ। ଏଭଳି କହିଛନ୍ତି ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ୍‌। ପାକିସ୍ତାନର ସାମରିକ ନେତୃତ୍ବ ସହିତ ଦୀର୍ଘ ଦଶନ୍ଧିର ସମ୍ପର୍କରୁ ପ୍ରାପ୍ତ ଅଭିଜ୍ଞତା ଆଧାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନବାସୀଙ୍କ ପାଇଁ ସେମାନଙ୍କ ବିଷୟ ଚିନ୍ତା କଲା ଭଳି ନେତା ନାହାନ୍ତି ବୋଲି ମାଟିସ୍‌ କ୍ଷୋଭ ପ୍ରକାଶ କରିଛନ୍ତି।

ମାଟିସ୍‌ ଆମେରିକା ସେନା ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ନ୍ୟୁୟର୍କରେ ଆତଙ୍କବାଦୀ ଆକ୍ରମଣ ପରେ ସେ ଆମେରିକା ସେନାର ନେତୃତ୍ବ ନେଇ ଆଫଗାନିସ୍ତାନ ଯାଇଥିଲେ। ଏହି ସମୟରେ ମାଟିସ୍‌ଙ୍କର ପାକିସ୍ତାନର ସେନା ମୁଖ୍ୟ, ସେନା ପ୍ରଭାବିତ ଶାସନ କଳ ସହିତ ସମ୍ପର୍କରେ ଥିଲେ। ପରେ ୬୮ବର୍ଷୀୟ ମାଟିସ୍‌ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରାୟ ଦୁଇ ବର୍ଷ କାର୍ଯ୍ୟ କରି ଇସ୍ତଫା ଦେଇଥିଲେ। ସମ୍ପ୍ରତି ସେ ନିଜ ଅଭିଜ୍ଞତାକୁ ନେଇ ରଚନା କରିଥିବା ପୁସ୍ତକ ‘କଲ୍‌ ସାଇନ୍‌ ଚାଓସ୍‌: ଲର୍ଣ୍ଣିଂ ଟୁ ଲିଡ୍‌’ର ଉନ୍ମୋଚନ ଅବସରରେ ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି। ଏହି ପୁସ୍ତକରେ ପାକିସ୍ତାନର ରାଜନୈତିକ ସଂସ୍କୃତି ଓ ଚରିତ୍ର ବିଷୟ ସେ ବର୍ଣ୍ଣନା କରିଛନ୍ତି।

ସେ ଲେଖିଛନ୍ତି ଯେ ଏହି ରାଷ୍ଟ୍ର ସର୍ବଦା ନିଜ ଆଡ଼ୁ ଧ୍ବଂସକୁ ଆହ୍ବାନ କରୁଛି। ଏମିତି ଏକ ଦେଶ; ଯାହାର ଜନ୍ମ ପ୍ରତି ଶ୍ରଦ୍ଧା ନ ଥିଲା; ତେଣୁ ଏହା ସବୁବେଳେ ଆତ୍ମଧ୍ବଂସରେ ବ୍ରତୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ପାକିସ୍ତାନର ଆଣବିକ ଶକ୍ତି କେତେବେଳେ ଯେ ଆତଙ୍କବାଦୀଙ୍କ ବ୍ୟବହାରରେ ନ ଲାଗିବ ତାହା କହିହେବ ନାହିଁ। ପାକିସ୍ତାନର ସେନା ମୁଖ୍ୟାଳୟ ରହିଥିବା ସହରରେ ହିଁ ଆତଙ୍କବାଦୀଙ୍କ ଆଡ୍ଡା ରହିବା ଅତ୍ୟନ୍ତ ଚିନ୍ତାଜନକ। ଏହି ଦୃଷ୍ଟିରୁ ଯେତୋଟି ଦେଶ ସହିତ ସେ ସମ୍ପର୍କରେ ଆସିଛନ୍ତି ସେଥିମଧ୍ୟରେ ପାକିସ୍ତାନକୁ ସବୁଠୁ ଭୟଙ୍କର ବୋଲି ବର୍ଣ୍ଣନା କରିବାକୁ ପଛାଇ ନାହାନ୍ତି ବୋଲି ମାଟିସ୍‌ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button