ବାଣିଜ୍ୟମନୋରଞ୍ଜନ

ବାହୁବଳୀର ରେକର୍ଡ ଭାଙ୍ଗିଲା ‘ପଦ୍ମାବତ୍‌’

ନୂଆଦିଲ୍ଲୀ: ବହୁ ବିରୋଧ ସତ୍ତ୍ୱେ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ଗୁରୁବାର ରିଲିଜ୍‌ ହେବା ସହ ବକ୍ସ ଅଫିସ୍‌ରେ ଧମାଲ କରିଛି। ଏକାଧିକ ରେକର୍ଡ ସୃଷ୍ଟିକରିବା ସହ ଅନେକ ସଫଳ ଫିଲ୍ମକୁ ପଛରେ ପକାଇ ଦେଇଛି ‘ପଦ୍ମାବତ୍‌’। ଦୁଇଦିନ ମଧ୍ୟରେ ଏହା ୫୬ କୋଟି ଆୟ କରିସାରିଛି। କଟକଣା କାରଣରୁ କେତେକ ରାଜ୍ୟରେ ଏହା ରିଲିଜ୍‌ ହୋଇପାରି ନ ଥିଲେ ମଧ୍ୟ ‘ପଦ୍ମାବତ୍‌’ ଭଲ ବ୍ୟବସାୟ କରିଚାଲିଛି। କେବଳ ଭାରତରେ ନୁହେଁ ବରଂ ବିଦେଶୀ ବକ୍ସ ଅଫିସ୍‌ରେ ମଧ୍ୟ ଏହାକୁ ଭଲ ପ୍ରତିକ୍ରିୟା ମିଳିଛି ବୋଲି ଫିଲ୍ମ ବ୍ୟବସାୟ ସମୀକ୍ଷକ ତରନ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଦୁଇଦିନ ମଧ୍ୟରେ ଭାରତରେ ‘ପଦ୍ମାବତ୍‌’ର ଆୟ ୫୬ କୋଟି ଟଙ୍କା ହୋଇଥିବାବେଳେ ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆରେ ୧.୮୮ କୋଟି ଟଙ୍କା, ନ୍ୟୁଜିଲାଣ୍ଡରେ ୨୯.୯୯ ଲକ୍ଷ ଟଙ୍କା, ବ୍ରିଟେନ୍‌ରେ ୮୮.୦୮ ଲକ୍ଷ ଟଙ୍କା ଆୟ କରିଛି। ଜର୍ମାନୀ ସମେତ ଅନେକ ରାଷ୍ଟ୍ରରେ ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। ଶନିବାର ଏବଂ ରବିବାର ଆହୁରି ଭଲ ଆୟ ହେବ ବୋଲି ଆଶା କରାଯାଉଛି। ତେବେ ବିଦେଶରେ ‘ପଦ୍ମାବତ୍‌’ର ଆୟକୁ ଦେଖିଲେ ଏହା ଜଣାପଡ଼େ ଯେ ଏହା ଏସ୍‌.ଏସ୍‌. ରାଜମୌଲୀଙ୍କ୨୦୧୭ର ‘ବାହୁବଲୀ’ ଏବଂ ଅମିର ଖାନ୍‌ ଅଭିନୀତ ‘ଦଙ୍ଗଲ’ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ଦୁଇ ଫିଲ୍ମଠାରୁ ମଧ୍ୟ ଅଧିକ ଭଲ ଆୟ କରିଛି ‘ପଦ୍ମାବତ୍‌’। ସେପଟେ ‘ପଦ୍ମାବତ୍‌’ ବିବାଦ ମଧ୍ୟରେ ଜୟପୁର ସାହିତ୍ୟ ଉତ୍ସବ (ଜୟପୁର ଲିଟ୍‌ରେଚର୍‌ ଫେଷ୍ଟିଭାଲ)ରେ ଯୋଗଦେବାକୁ ମନାକରି ଦେଇଛନ୍ତି ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଜୋଷୀ। ଜାନୁୟାରୀ ୨୮ରେ ରାଜସ୍ଥାନର ଜୟପୁରଠାରେ ହେବାକୁ ଥିବା ଏହି ଉତ୍ସବରେ ପ୍ରସୂନ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ‘ପଦ୍ମାବତ୍‌’କୁ ଯେଭଳି ବିରୋଧ ଲାଗି ରହିଛି ଏଭଳି ସମୟରେ ସେ ଯଦି ରାଜସ୍ଥାନ ଯିବେ, ତା’ହେଲେ କାର୍ଯ୍ୟକ୍ରମ କିମ୍ବା ଆୟୋଜକଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ସମସ୍ୟାକୁ ଏଡ଼ାଇବା ଲାଗି କାର୍ଯ୍ୟକ୍ରମରୁ ପ୍ରସୂନ ଓହରି ଯାଇଥିବା ସ୍ପଷ୍ଟ କରିଛନ୍ତି। କର୍ନୀ ସେନାର ବିରୋଧ ଲାଗିରହିଥିବାବେଳେ ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସୂନଙ୍କୁ ଜେଡ୍‌ ସୁରକ୍ଷା ପ୍ରଦାନ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଏବେ ମନା କରି ଦେଇଛନ୍ତି। କର୍ନାଟକରେ ‘ପଦ୍ମାବତ୍‌’କୁ ହିଂସାତ୍ମକ ବିରୋଧ ହୋଇଛି। ରାଜ୍ୟର ବେଲାଗାଭିଠାରେ ଏକ ସିନେମା ହଲ୍‌ରେ ଶୁକ୍ରବାର ଫିଲ୍ମ ପ୍ରଦର୍ଶନ ଚାଲିଥିବାବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ୍‌ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି ବୋଲି ପୋଲିସ ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button