ରାଜ୍ୟ

ସରିଲା ‘ଇକ୍‌ଅର୍ଗାନ୍‌-୨୦୧୮’: ରୋଗରୁ ମୁକ୍ତ ରଖେ ଜୈବିକ ଖାଦ୍ୟ

ଆଓରି(ତା୧୮|୪)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଜୈବମେଳା ବା ଅର୍ଗାନିକ୍‌ ଫେୟାର୍‌ ‘ଇକ୍‌ଅର୍ଗାନ୍‌-୨୦୧୮’। ଚନ୍ଦ୍ରଶେଖରପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ଇକ୍‌ଅର୍ଗାନ୍‌ର ଦ୍ୱିତୀୟ ସଂସ୍କରଣ ଦୁଇଦିନ ବ୍ୟାପୀ ଚାଲିବା ପରେ ସୋମବାର ଉଦ୍‌ଯାପିତ ହୋଇଯାଇଛି। ସୁରକ୍ଷିତ ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ଅର୍ଗାନିକ୍‌ ଫୁଡ୍‌ର ଲୋକପ୍ରିୟତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହରବାସୀଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା। ସେହିଭଳି ବିନା ରାସାୟନିକ ସାର ପ୍ରୟୋଗରେ ନିଜ ଖାଦ୍ୟ ନିଜେ ଉତ୍ପାଦନ କରିବା ଏବଂ ସ୍ଥାନୀୟ ଚାଷୀମାନଙ୍କୁ ଏଥିପ୍ରତି ସଚେତନ କରାଇବା ମଧ୍ୟ ଏହାର ଆଉ ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ଲିଭିଙ୍ଗ୍‌ ଫାର୍ମସ୍‌ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ଜୈବ ମେଳା ଗତ ଦୁଇବର୍ଷ ହେବ ରାଜ୍ୟରେ ଆଗ୍ରୋ-ଇକୋଲୋଜିକାଲ୍‌ ଫାର୍ମିଂ ପ୍ରଣାଳୀକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଲିଭିଙ୍ଗ୍‌ ଫାର୍ମସ୍‌ର ‘ଇଣ୍ଡିଆ ଫର୍‌ ଇକୋ ଫୁଡ୍‌ କ୍ୟାମ୍ପେନ୍‌’ର ପ୍ରକଳ୍ପ ସଂଯୋଜକ ଡ. ଜଗତବନ୍ଧୁ ମହାପାତ୍ର ଏହି ମେଳାକୁ ଉଦ୍‌ଘାଟନ କରି କହିଥିଲେ, ଜୈବିକ ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ଆମର ପାଚନ ଶକ୍ତି ବୃଦ୍ଧି ହେବା ସହ ରୋଗ କବଳରୁ ଆମକୁ ମୁକ୍ତ ରଖିଥାଏ। ମିଲେଟ୍ସ ସହ ଜଙ୍ଗଲୀ ଖାଦ୍ୟର ଉପକାରିତା ସମ୍ପର୍କରେ ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆ ଫର୍‌ ଇକୋ ଫୁଡ୍‌ର ଅଭିଷେକ ଦ୍ୱିବେଦୀ, ନିଶ୍ୱାସର ପୂଜା କୁମାରୀ ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନ ସମୟରେ ଦୀର୍ଘସ୍ଥାୟୀ ଚାଷ ପ୍ରଣାଳୀର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହ ଅର୍ବାନ୍‌ ଫାର୍ମିଂର ଉପକାରିତା ଉପରେ ମତ ରଖିଥିଲେ। ଏହି ଅବସରରେ ରାୟଗଡ଼ାରୁ ଆସିଥିବା ବିଭିନ୍ନ ପ୍ରକାର ଶସ୍ୟ ଏବଂ ଜଙ୍ଗଲୀ ଖାଦ୍ୟଦ୍ରବ୍ୟକୁ ପ୍ରଦର୍ଶନ କରାଯାଇଥିଲା। କମ୍‌ ଖର୍ଚ୍ଚରେ ଅଧିକ ଶସ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଇଣ୍ଟିଗ୍ରେଟେଡ୍‌ ଫାର୍ମିଂ ସିଷ୍ଟମ୍‌, ସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ଏବଂ ଅଭିନବ କୃଷି ଯନ୍ତ୍ରପାତିକୁ ନେଇ ମଧ୍ୟ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହା ଉପକୂଳ ଚାଷୀ, ସହରୀ ଚାଷୀ ଓ ଜନଜାତି ଚାଷୀଙ୍କୁ ଗୋଟିଏ ଛାତ ତଳକୁ ଆଣିବାରେ ସହାୟକ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button