କାଠମାଣ୍ଡୁରେ ମୃତ ଦୁଇ ଓଡ଼ିଆଙ୍କ ମଧ୍ୟରୁ ପିପିଲିରେ ପହଞ୍ଚିଲା ଜଣଙ୍କର ମରଶରୀର
1 min read
ଆଓରି-ନୂଆଦିଲ୍ଲୀ(୧୩/୦୬) : ନେପାଳ କାଠମାଣ୍ଡୁରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କର ମରଶରୀର ତାଙ୍କ ଗାଁରେ ପହଞ୍ଚିଛି । ମୃତ୍ୟୁ ବରଣ କରିଥିବା ପିପିଲି ଡେଲାଙ୍ଗ ବ୍ଲକ୍ ଅଞ୍ଚଳର ବିଜୟ ଜେନାଙ୍କ ମୃତଦେହ ଯମୁନା ଗାଁରେ ପହଞ୍ଚିଛି । ତେବେ ଏବେ ସୁଦ୍ଧା ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳଙ୍କର ମୃତଦେହ ଆସିପାରି ନଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ନେପାଳ କାଠମାଣ୍ଡୁରେ ତୀର୍ଥଯାତ୍ରୀ ବସ୍ ଓଲଟି ୨୧ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ଜଣ ଓଡ଼ିଆ ମଧ୍ୟ ରହିଥିଲେ । ଏକ ଦ୍ରୁତଗାମୀ ଟ୍ରକ୍ ଆସି ବସ୍କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା ।
ଏହି ବସ୍ ଦୁର୍ଘଟଣାରେ ମୃତାହତ ହୋଇଥିବା ଓଡ଼ିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ । ଏହି ଘଟଣାରେ ତ୍ୱରିତ ହସ୍ତକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ନିବେଦନ କରିଥିଲେ । ଖୋର୍ଦ୍ଧା ଓ ପୁରୀ ଅଂଚଳରୁ ଆସିଥିବା ତୀର୍ଥଯାତ୍ରୀଙ୍କ ପରିବାର ସହ ଯୋଗାଯୋଗରେ ମଧ୍ୟ ରହିଥିଲେ ଶ୍ରୀ ପ୍ରଧାନ।