ମନୋରଞ୍ଜନରାଜ୍ୟ

ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଆଓରି-ଭୁବନେଶ୍ଵର(୨୩/୮) : ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ଗତ ୪ ମାସ ହେଲା ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ଗତ କିଛି ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ପୂର୍ବରୁ ସେ ୨ଥର ହୃଦଘାତର ଶିକାର ହୋଇଥିଲେ।Debu_Bose

ଅଭିନେତା ଦେବୁ ବୋଷ ୧୯୪୨ ମସିହା ଡିସେମ୍ବର ୨ରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ସରକାରୀ ପଦାଧିକାରୀ ଭାବେ କାର୍ଯ୍ୟ କରିବା ସହିତ ଅଭିନୟ, ନୃତ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଯାଇଛନ୍ତି। ଓଡ଼ିିଆ ଚଳଚିତ୍ର ବ୍ୟତୀତ ବହୁ ଭଜନ ଆଲବମ୍‌ରେ ମଧ୍ୟ ଶ୍ରୀ ବୋଷଙ୍କ ଅଭିନୟ ସବୁଦିନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିବ। ୧୯୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଓଡିଆ ଚଳଚ୍ଚିତ୍ରରେ ପ୍ରାୟତଃ ବଳପା ଭୂମିକାରେ ଅଭିନୟ କରି ସେ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ। ସେ କାବେରୀ, ସୁନା ଚଢେଇ, ସହରୀ ବାଘ, ଗଙ୍ଗଶିଉଳି, ପୁଅ ମୋର କଳା ଠାକୁର ଓ କି ହେବ ଶୁଆ ପୋଷିଲେ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ବଳିଷ୍ଠ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ତାଙ୍କର ମୃତ୍ୟୁ ଖବରରେ ଓଡିଆ ସିନେ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button