ମାସକ ପରେ ପୁଣି ବଢିଲା ତୈଳ ଦର
1 min read
ଆଓରି-ନୂଆଦିଲ୍ଲୀ(୬/୭):ଗତ ଏକ ମାସ ମଧ୍ୟରେ ତୈଳ ଦରରେ ପାଖାପାଖି ୩ ଟଙ୍କା ହ୍ରାସ ପାଇଥିବା ବେଳେ ଗୁରୁବାର ପ୍ରଥମ ଥର ପାଇଁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ପ୍ରମୁଖ ମେଟ୍ରୋ ସହର ବମ୍ବେ, ଦିଲ୍ଲୀ, କଲିକତା ଏବଂ ମାଡ୍ରାସ୍ରେ ପେଟ୍ରୋଲ ଦର ୧୫ ପଇସାରୁ ଅଧିକ ବୃଦ୍ଧି ପାଇଥିବା ବେଳେ, ଡିଜେଲ ଦର ୧୨ ପଇସାରୁ ଅଧିକ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍) ପକ୍ଷରୁ ପ୍ରକାଶ। ସୂଚନା ଅନୁସାରେ ବୁଧବାର ପେଟ୍ରୋଲ ଲିଟର ପିଛା ଦର ରାଜଧାନୀ ଦିଲ୍ଲୀରେ ୭୫ ଟଙ୍କା ୫୫ ପଇସା ଥିବା ବେଳେ ଏଥିରେ ୧୬ ପଇସା ବୃଦ୍ଧି ଘଟି ୭୫ ଟଙ୍କା ୭୧ ପଇସା ହୋଇଛି। ସେହିପରି କଲିକତାରେ ଏହା ୭୮ ଟଙ୍କା ୨୩ ପଇସାରୁ ୭୮ ଟଙ୍କା ୩୯ ପଇସାକୁ ବୃଦ୍ଧି ପାଇଛି। ବମ୍ବେରେ ଏହା ୮୨ ଟଙ୍କା ୯୪ ପଇସାରୁ ୮୩ ଟଙ୍କା ୧୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ମାଡ୍ରାସ୍ରେ ୭୮ ଟଙ୍କା ୪୦ ପଇସାରୁ ୭୮ ଟଙ୍କା ୫୭ ପଇସାକୁ ବଢିଛି।
ଅନ୍ୟ ପକ୍ଷରେ ଦିଲ୍ଲୀ, କଲିକତା ଓ ମାଡ୍ରାସ୍ରେ ଡିଜେଲ ଦର ୧୨ ପଇସା ଲେଖାସ ବୃଦ୍ଧି ପାଇଥିବା ବେଳେ ବମ୍ବେରେ ୧୩ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୬୭.୫୦ ଟଙ୍କା, କଲିକତାରେ ୭୦. ୦୫ ଟଙ୍କା, ବମ୍ବେରେ ୭୧. ୬୨ ଟଙ୍କା ଏବଂ ମାଡ୍ରାସ୍ରେ ୭୧. ୨୪ ଟଙ୍କା ହୋଇଛି।