ଜାତୀୟବ୍ୟକ୍ତିତ୍ଵ

ଅନ୍ତର୍ଜାତୀୟ ଫ୍ୟାଶନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଚାମ୍ପିଅନ୍

ଆ.ଓ.ରି(ତା୨୧|୫)-ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ କ୍ରିସିତା ମହାପାତ୍ରଙ୍କ କମାଲ। କେରଳରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଆର୍ଟ ଟ୍ୟାଲେଣ୍ଟ ଆଣ୍ଡ ଫ୍ୟାଶନ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛନ୍ତି କ୍ରିସିତା। ଆଗକୁ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ। କମ୍ ବୟସରୁ କ୍ରିସିତାଙ୍କ ଏଭଳି ସଫଳତାକୁ ନେଇ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି।

ମାତ୍ର ୧୨ ବର୍ଷ ବୟସରୁ ରୋଲ୍ ମଡେଲ୍।  ଫ୍ୟାଶନ ଦୁନିଆରେ ଅନ୍ୟୂନ ସଫଳତା।  କେରଳର କାଲିକଟଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ-୨୦୧୮ ପ୍ରତିଯୋଗିତାରେ ଓଡିଶାରୁ ୪ଜଣ ଝିଅ ଭାଗ ନେଇଥିଲେ।  ଯେଉଁଥିରେ ଥିଲେ ବାଲେଶ୍ୱର ସୁନ୍ଦରୀ କ୍ରିସିତା।

ପ୍ରତିଯୋଗିତାର ପ୍ରତ୍ୟେକ ରାଉଣ୍ଡରେ କ୍ରିସିତାଙ୍କ ନୂଆନୂଆ ରୂପ ସମସ୍ତଙ୍କୁ ଚକିତ କରିଥିବାବେଳେ, ଶେଷରେ ପିନ୍ଧିଥିଲେ ଚାମ୍ପିୟନ ମୁକୁଟ। ଗତ ଦୁଇ ବର୍ଷ ଧରି କ୍ରିସିତା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି। ଏଥିପାଇଁ ୟୁଟ୍ୟୁବ୍‌ ଓ ଇଣ୍ଟରନେଟରୁ ଡ୍ୟାନ୍ସ, ଫ୍ୟାଶନ ମଡ଼େଲିଂ ଶିଖୁଛନ୍ତି। ଆଉ ତାଙ୍କ ନିଷ୍ଠା ଏବଂ ପରାକାଷ୍ଠା କ୍ରମାଗତ ସଫଳତାର ଶୀର୍ଷରେ ପହଞ୍ଚାଇଛି।

କ୍ରିସିତା ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ।  ପ୍ରି ନର୍ସରୀ ପଢ଼ିବା ଦିନଠୁ ହିଁ କ୍ରିସିତାଙ୍କ ମଡ଼େଲିଂ ପ୍ରତି ଆଗ୍ରହ ବଢିଥିଲା। ପରେ ଅନେକ ଫ୍ୟାଶନ ସୋ, ମଡ଼େଲିଂ, ଡ୍ୟାନ୍ସ ଓ ସଂଗୀତ କାର୍ଯ୍ୟକ୍ରମରେ ଭାଗ ନେଇ ସଫଳତା ପାଇଥିଲେ କ୍ରିସିତା।

ଏବେ ଓ୍ୱାର୍ଲଡ଼ ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।  ଏହାସହ ଫିଲିପାଇନ୍ସଠାରେ ହେବାକୁ ଥିବା ଓ୍ୱାର୍ଲଡ ଟୁରିଜିମ୍ ଫେଷ୍ଟିଭାଲ୍ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।  ଏଥିରେ ପ୍ରତିନିଧିତ୍ୱ କରି ଭାରତ ପାଇଁ ସୁନାମ ଆଣିବେ ବୋଲି ବାପା ମାଆ ଆଶା ରଖିଛନ୍ତି।

ଫ୍ୟାଶନ ଓ ମଡ଼େଲିଂରେ ରୁଚି ରଖିଥିବା କ୍ରିସିତା ଆଗାମୀ ଦିନରେ ମିସ୍‌ ଓ୍ୱାର୍ଲଡ଼ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button