ଜାତୀୟଜିଲ୍ଲା

ଓଡ଼ିଶା ଦୁର୍ନୀତିରେ ଦ୍ୱିତୀୟ

ଅ‍ାଜିର ଓଡ଼ିଶା ବ୍ୟୁରୋ, ଭୁବନେଶ୍ବର:


ଦୁର୍ନୀତି ବିରୋଧରେ ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଶା ଦେଶର ଦ୍ୱିତୀୟ ଦୁର୍ନୀତିଗ୍ରସ୍ତ ରାଜ୍ୟ ଭାବେ ବିବେଚିତ। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟ ରିପୋର୍ଟରେ ଓଡ଼ିଶା ଏହି କୁଖ୍ୟାତି ଅର୍ଜନ କରିଛି। ୨୦୧୫ ବର୍ଷର ଅପରାଧ ରେକର୍ଡ଼ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବା ଭିଜିଲାନ୍ସ ବିଭାଗ ଗତ ବର୍ଷ ଦୁର୍ନୀତି ନିବାରଣ ଆଇନରେ ୪୫୬ଟି ମାମଲା ଦାଏର କରିଥିବା ବେଳେ ଅନୁସନ୍ଧାନ ଶେଷ ହୋଇନଥିବା ମାମଲା ସଂଖ୍ୟା ଥିଲା ୭୪୧। ଗତ ବର୍ଷ ସର୍ବାଧିକ ୧୨୭୯ଟି ଦୁର୍ନୀତି ମାମଲା ମହାରାଷ୍ଟ୍ରରେ ଦାଏର ହୋଇଥିବାରୁ ଏହି ରାଜ୍ୟ ଦୁର୍ନୀତି ମାମଲା ତାଲିକାର ଶୀର୍ଷରେ ଅଛି। ଓଡ଼ିଶା ପଛକୁ ତୃତୀୟ ସ୍ଥାନରେ ଥିବା ମଧ୍ୟ ପ୍ରଦେଶରେ ଦାଏର ହୋଇଛି ୬୩୪ଟି ଦୁର୍ନୀତି ମାମଲା।
ଦୁର୍ନୀତି ମାମଲାଗୁଡ଼ିକର ତ୍ୱରିତ ବିଚାର ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଆଇନ ବଳରେ ଅଧିକ ୮ଟି ସ୍ୱତନ୍ତ୍ର କୋର୍ଟ ଖୋଲିଛନ୍ତି। ମାତ୍ର ଅନୁସନ୍ଧାନ ତ୍ୱରାନ୍ଵିତ ହେଉନଥିବାରୁ ସହସ୍ରାଧିକ ମାମଲାର ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତି ପ୍ରକ୍ରିୟା ବର୍ଷ ବର୍ଷ ଧରି ଗଡ଼ୁଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୫ ଶେଷ ସୁଦ୍ଧା ମାତ୍ର ୪୧୭ ମାମଲା କୋର୍ଟକୁ ପଠାଯାଇଥିବା ବେଳେ ୧୧୯୭ଟି ଦୁର୍ନୀତି ମାମଲାର ଅନୁସନ୍ଧାନ ଶେଷ ହୋଇନଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ପ୍ରଭାବଶାଳୀ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ ଉଚ୍ଚ ସ୍ତରୀୟ ଅନୁମୋଦନ ଲୋଡ଼ୁଥିବା ବେଳେ ସଚିବାଳୟର ତୃତୀୟ ମହଲା ଅଜ୍ଞାତ କାରଣରୁ ନିଷ୍ପତ୍ତି ନନେଇ ତାହାକୁ ଗଡ଼େଇ ଚାଲିଛନ୍ତି। ଫଳରେ ୧୦୫ଟି ବଡ଼ ଧରଣର ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ ହୋଇପାରି ନାହିଁ। ସେହିପରି ଦୁର୍ନୀତି ମାମଲାରେ ସମ୍ପୃକ୍ତ ସରକାରୀ ବାବୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସରକାର ଗଡ଼େଇ ଚାଲିଛନ୍ତି। ଏହି କୌଶଳରେ ପ୍ରଭାବଶାଳୀ ଦୁର୍ନୀତିଗ୍ରସ୍ତଙ୍କୁ ସରକାର ପରୋକ୍ଷ ସୁରକ୍ଷା ଦେଉଥିବାରୁ ୨୪୮ଟି ମାମଲାରେ ୨୦୧୫ ଶେଷ ସୁଦ୍ଧା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନଥିଲା।
ବିଭିନ୍ନ କାରଣରୁ ବର୍ଷ ଶେଷ ବେଳକୁ ବିଚାର ଅପେକ୍ଷାରେ ଥିଲା ୩୬୭୭ ମାମଲା। ଗୋଟିଏ ପକ୍ଷରେ ତଦନ୍ତରେ ମାନ୍ଦାବସ୍ଥା ଓ ଅନ୍ୟପକ୍ଷରେ ତଦନ୍ତରେ ଥିବା ତ୍ରୁଟିବିଚ୍ୟୁତି ଯୋଗୁଁ ଅର୍ଦ୍ଧାଧିକ ମାମଲାରେ ଅଭିଯୁକ୍ତ ଖସିଯାଉଛନ୍ତି। ୨୦୧୫ରେ ୧୬୪ ମାମଲାର ବିଚାର ଶେଷ ହୋଇଥିଲା ବେଳେ କୋର୍ଟରୁ ଦଣ୍ଡାଦେଶ ପାଇଛନ୍ତି ମାତ୍ର ୭୮ ଜଣ, ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୮୬ ଜଣ ଅଭିଯୁକ୍ତ। ଗତ ବର୍ଷ ସୁଦ୍ଧା ୩୧୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ କୋର୍ଟ ୩ କୋଟି ୪୦ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button