ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା
1 min read
ଆଓରି-ଭୁବନେଶ୍ଵର(୨୯/୦୭) : ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ଵୀକୃତି ମିଳିଛି। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି। ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଛି। ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ୩୦ରେ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେଉଛି।
ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବହୁ ଦିନ ବାଦ ବିବାଦ ଲାଗି ରହିବା ପରେ ଶେଷରେ ପଶ୍ଚିମବଙ୍ଗ ସରକାରଙ୍କୁ ରସଗୋଲାର ଭୌଗଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ମିଳିଥିଲା। ଏହାର ୪ ମାସ ପରେ ପୁଣି ଥରେ ରସଗୋଲାର ମାନ୍ୟତାକୁ ନେଇ ବିବାଦ ଉପୁଜିଥିଲା ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାର ଚଞ୍ଚକତା କରି ଭୁଲ୍ ତଥ୍ୟ ଉପସ୍ଥାପନ କରି ଚେନ୍ନାଇ ସ୍ଥିତ ଇଣ୍ଡିଆନ୍ ପ୍ୟାଟେଣ୍ଟ୍ ଅଫିସରୁ ‘ବାଂଲାର ରସଗୋଲା’ ନାଁରେ ଜି.ଆଇ ମାନ୍ୟତା ହାସଲ କରିଥିଲା । କୌଣସି ମିଷ୍ଟାନ୍ନ ପ୍ରତିଷ୍ଠାନ ଏହି ଜି.ଆଇ ମାନ୍ୟତା ପାଇବା ପାଇଁ ଆବେଦନ କରି ନ ଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ ବିଭାଗ କର୍ପୋରେସନ୍ ସେହି ଆବେଦନ କରିଥିଲା ଏବଂ ଓଡ଼ିଶାକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନ ଥିଲା। ତେବେ ପଶ୍ଚିମବଙ୍ଗର ଏହି ଚଞ୍ଚକତା ବିରୋଧରେ ରିଜିଓନାଲ୍ ଡେଭେଲପ୍ମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏକ ମାସ ତଳେ ଚେନ୍ନାଇ ସ୍ଥିତ ଜିଆଇ ଅଫିସ୍ରେ ‘ଅବ୍ଜେକ୍ସନ୍ ପିଟିସନ୍’ ଫାଇଲ୍ କରିଥିଲେ ଏବଂ ‘ବାଂଲାର ରସଗୋଲା’ ପାଇଁ ଦିଆଯାଇଥିବା ଭୁଲ୍ ତଥ୍ୟ ଉପରେ ପ୍ରଶ୍ନ କରିଥିଲେ। ଏବେ ପଶ୍ଚିମବଙ୍ଗ ସରକାର ନିଜର ପକ୍ଷ ରଖିବେ। ଆସନ୍ତା ୨ମାସ ମଧରେ ନିଜର ପକ୍ଷ ରଖିବାକୁ ଏଥିରେ ନିର୍ଦେଶ ଦିଆଯାଇଥିଲା।
ଅନ୍ୟପକ୍ଷରେ ‘ପୂଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡ଼ିଶା ପର୍ବ’ ପକ୍ଷରୁ ରସଗୋଲା ବିବାଦକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ତେବେ ଏହା ବିଚାରାଧୀନ ରହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୨୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡ଼ିଶା ରସଗୋଲା’ ନାଁରେ ଚେନ୍ନାଇସ୍ଥିତ ବୌଦ୍ଧିକ ସମ୍ପତ୍ତି କାର୍ଯ୍ୟାଳୟରେ ଜିଆଇ ପାଇଁ ଆବେଦନ କରାଯାଇଥିଲା। ରାଜ୍ୟ କ୍ଷୁଦ୍ର ଶିଳ୍ପ ବିଭାଗ ବା ଓଏସ୍ଆଇସି ପକ୍ଷରୁ ଏଥିପାଇଁ ଆବେଦନ ହୋଇଥିଲା।