March 24, 2023

ସ୍ୱାମୀ ସହଯୋଗରେ ସାଙ୍ଗ କଲା ସ୍ତ୍ରୀକୁ ଦୁଷ୍କର୍ମ

1 min read

ଆଓରି-ରାଜନଗର(୨୫/୦୬): ସ୍ୱାମୀ ଆଗରେ ସାଙ୍ଗ କଲା ସ୍ତ୍ରୀକୁ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜନଗର ଅଞ୍ଚଳରେ । ପତ୍ନୀ ଏହାର ପ୍ରତିବାଦ କରିବାରୁ ସ୍ବାମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପତ୍ନୀ । ରାଜନଗର ଥାନା ଅନ୍ତର୍ଗତ କଣ୍ତିରା ଅଞ୍ଚଳରେ ଜଣେ ବିବାହିତା ମହିଳା ଗତ ୨୦ତାରିଖ ଦିନ ସ୍ବାମୀଙ୍କ ସହ ଶୋଇଥିଲେ। ନିଦ ହେବା ପରେ ସ୍ବାମୀ ତାଙ୍କ ସାଙ୍ଗ ବ୍ରଜ ମଳିକଙ୍କୁ ଶୋଇବା ଘରକୁ ଡାକିଥିଲେ। ସ୍ବାମୀଙ୍କ ଉପସ୍ଥିତିରେ ବ୍ରଜ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ନିଦ ଭାଙ୍ଗିଯିବାରୁ ମହିଳା ଜଣଙ୍କ ଘଟଣା ସମ୍ପର୍କରେ ଜାଣିପାରି ଚିତ୍କାର କରିଥିଲେ।  ବେକରେ ଭୁଜାଲି ଲଗାଇ ହାଣିଦେବାକୁ ଧମକ ବି ଦିଆଯାଇଛି ।

ଫଳରେ ବ୍ରଜ ଦୌଡି ପଳାଇଥିଲେ। ହେଲେ, କାହିଁକି ପାଟି କଲୁ ବୋଲି କହି ସ୍ବାମୀ ତାଙ୍କୁ ନିର୍ମମ ଭାବେ ମାଡ ମାରିଥିଲେ। ପାଟିତୁଣ୍ଡ ଶୁଣି ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ଘଟଣା ଜାଣି ଲଜ୍ଜା ପ୍ରକାଶ କରିଥିଲେ। ଏପରିକି ପୀଡିତାଙ୍କ ସ୍ବାମୀଙ୍କୁ ତାଙ୍କ ବଡଭାଇ ମାଡ଼ ମାରିଥିବା ବେଳେ ଲୋକଲଜ୍ଜାରେ ମହିଳାଙ୍କ ଶ୍ବଶୂର ନଦୀକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ। ଘଟଣା ସଂପର୍କରେ ପୀଡିତାଜଣକ ଶାଶୂଘରୁ ନ୍ୟାୟ ନ ପାଇବାରୁ ବାପଘର ଲୋକଙ୍କୁ ଜଣାଇଥିଲେ।

ଘଟଣାଟି ୨୦ ତାରିଖ ଦିନ ଘଟିଥିବା ବେଳେ ୨୧ ତାରିଖ ରାତିରେ ପୀଡିତାଙ୍କ ବାପଘର ଲୋକେ ପହଞ୍ଚି ଉଭୟ ପୀଡିତା ଓ ତାଙ୍କ ସ୍ବାମୀଙ୍କୁ ରାଜନଗର ଥାନାକୁ ଆଣି ପୋଲିସ ଜିମା ଦେଇଥିଲେ। ପୋଲିସ ଉଭୟଙ୍କୁ ପଚରାଉଚରା କରିଥିଲା। ଲିଖିତ ଅଭିଯୋଗ ହୋଇନଥିବାରୁ ପୁଲିସ ପୀଡିତାଙ୍କ ସ୍ବାମୀକୁ ଛାଡି ଦେଇଥିବା ନେଇ ପୀଡିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଥାନାକୁ ଆସିବା ଦିନ ରାତି ୧ଟା ହୋଇ ଯାଇଥିବାରୁ ୨୨ ତାରିଖ ସକାଳେ ଏ ନେଇ ଲିଖିତ ଅଭିଯୋଗ କରିଥିବା ପୀଡିତା କହିଛନ୍ତି। ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ପୀଡିତାଙ୍କୁ ଡାକ୍ତରୀ ମାଇନା କରାଇଛି। ମହିଳାଙ୍କ ସ୍ବାମୀଙ୍କ ସାଙ୍ଗ ଧରା ପଡିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଘଟଣା ସଂପର୍କରେ ଶାଶୂଘର ଲୋକେ ନ ବୁଝିବାରୁ ପୀଡିତା ନିଜ ବାପଘର ଲୋକଙ୍କ ସହାୟତାରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ବାପଘର ଲୋକେ ସ୍ବାମୀଙ୍କୁ ଆଣି ପୁଲିସ ଜିମା ଦେଇଥିଲେ ମଧ୍ୟ ପୁଲିସ ତାଙ୍କୁ ଛାଡି ଦେଇଥିବା ନେଇ ଅଭିଯୋଗ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.