ବାଣିଜ୍ୟ

ବିଶ୍ୱର ୭୦ କୋଟି ଲୋକଙ୍କ ଅର୍ଥନୀତିର ପ୍ରାଣ କେନ୍ଦ୍ର ଓଡିଶା ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୬ ଜାନୁଆରୀ (ଓଡ଼ିଆ ପୁଅ) – ସାତ ଶହ କୋଟି ଜନ ସଂଖ୍ୟା ବିଶିଷ୍ଟ ବିଶ୍ୱର ୭୦ କୋଟି ଲୋକଙ୍କ ଅର୍ଥନୀତିର ପ୍ରାଣ କେନ୍ଦ୍ର ଓଡିଶା ହୋଇ ପାରିବ ବୋଲି ଇଂରାଜୀ ଦୈନିକ ବିଜନେସ ଷ୍ଟାଣ୍ଡାର୍ଡର ରାଉଣ୍ଡ ଟେବୁଲରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଦୃତ ବିକାଶ ପଥରେ ଓଡିଶା ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ହିମାଳୟରୁ ଆରମ୍ଭ କରି ନେପାଳ, ଭୂଟାନ, ଗୋରଖପୁର ଦେଇ ଉତର ପ୍ରଦେଶରୁ ଅଧେ, ବାରାଣସୀ ଦେଇ ବିହାର, ଝାଡଖଣ୍ଡ, ଛତିଶଗଡ, ପୂର୍ବୋତର ରାଜ୍ୟ ସମୂହ ତଥା ସମୁଦ୍ର ଦେଇ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମୂହରେ ବସବାସ କରୁଥିବା ବିଶ୍ୱର ୭୦ କୋଟି ଲୋକଙ୍କର ଆର୍ଥିକ ଗତିବିଧିର କେନ୍ଦ୍ର ହେବାର ସମ୍ଭାବନା ଓଡିଶା ପାଖରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଆଲୁମିନିୟମ, ଲୁହା ଓ ବିଜୁଳି ମାମଲାରେ ବିଶ୍ୱର କମଡିଟି ଜଗତର ମୂଲ୍ୟ ନିର୍ଧାରଣର କେନ୍ଦ୍ର ବିନ୍ଦୁ ଓଡିଶା ହୋଇ ପାରିବ। ଯଦି ଓଡିଶାର ନାଲକୋ, ବେଦାନ୍ତ ଓ ଆଦିତ୍ୟ ଆଲୁମିନା ମିଶି ବିଶ୍ୱର ଆଲୁମିନିୟମ ବଜାରକୁ ପ୍ରଭାବିତ କରିବାକୁ ଚାହିଁବେ ତାହା ବିଶ୍ୱର ଏହି ସମସ୍ତ ଅଂଚଳର ଓଡିଶା ଭୂଖଣ୍ଡରୁ ହିଁ ସମ୍ଭବ।
ଓଡିଶାର ମାଟି ତଳେ ଅମାପ ଲୁହା ପଥର, କୋଇଲା ଓ ବିଜୁଳିର ସମ୍ଭାବନା ଥିବା ବେଳେ ଓଡିଶା କାହିଁକି ଉଚ୍ଚ ମାନର ଲୁହା ଉତ୍ପାଦନ କରି ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉଚ ମାନର ଲୁହା ଉତ୍ପାଦନ ହେଲେ ହିଁ ଓଡିଶାରେ କାର ଉତ୍ପାଦନ ହେବା ସହ ଅଟୋମୋବାଇଲ ଓ ଷ୍ଟିଲ କ୍ଷେତ୍ରର ଆନସିଲାରୀ ଓ ଡାଉନଷ୍ଟ୍ରିମ ଶିଳ୍ପ ଆସି ପାରିବ।
ଓଡିଶାର ଏପରି ସୌଭାଗ୍ୟ ସେତିକି ବେଳେ ସମ୍ଭବ ଯେତେବେଳେ ବୃହତର ଓଡିଆ ସମାଜ ଆଗକୁ ବଢିବାକୁ ଦୃଢ ନିଶ୍ଚୟ କରିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରୁଥିବା କମ ଓଡିଆ ଲୋକ ମିଳିବେ କିନ୍ତୁ ସାରା ଦୁନିଆରେ ହଜାରେ କୋଟିରୁ ବଡ ବ୍ୟବସାୟିକ ପ୍ରତିଷ୍ଠାନର ନେତୃତ୍ୱ ନେଉଥିବା ଓଡିଆ ବହୁତ ମିଳିବେ। ଏହି ବିରୋଧାତ୍ମକ ସ୍ଥିତିରୁ ଓଡିଶାକୁ ବାହାର କରିବାକୁ ହିଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ମହାନଦୀ ନେଇ ଏକ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ ନୁହେଁ କାରଣ ରାବି, ବ୍ୟାସ ଓ କୃଷ୍ଣା ପରି ଜଳ ବିବାଦର ୨୭ରୁ ୩୦ ବର୍ଷ ପରେ ବି ସମାଧାନର ପନ୍ଥା ବାହାରି ନାହିଁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ କଥାବାର୍ତ୍ତା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି। ଗଣତନ୍ତ୍ରରେ ଆଲୋଚନାର କିଛି ବିକଳ୍ପ ନାହିଁ ଓ ଟ୍ରିବ୍ୟୁନାଲ ରାଜ୍ୟ ସରକାରର ଅଧିକାର ବୋଲି ସେ କହିଛନ୍ତି। ପୁରୁଣା ଟ୍ରିବ୍ୟୁନାଲ ଦେଶରେ ଜଳ ବିବାଦ ନେଇ ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ୩ ବର୍ଷ ସମୟ ସୀମା ମଧ୍ୟରେ ଜଳ ବିବାଦ ମାମଲାରେ ରାୟ ଦେବାକୁ ଆସୁଥିବା ନୂଆ ନିୟମରେ ଟ୍ରିବ୍ୟୁନାଲ ସ୍ଥାପନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଓ ଏହା ଅଳ୍ପ କେଇ ମାସରେ ଗଠିତ ହେବ ବୋଲି ସେ କହିଛନ୍ତି।
କେନ୍ଦ୍ରୀୟ ଅବହେଳା ମାମଲାରେ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କର ପୁରୁଣା ଗ୍ରାମୋଫୋନ ରେକର୍ଡର ଘଷରା ଆବାଜ। ଏହାକୁ ଓଡିଆ ଲୋକ ସ୍ୱୀକାର କରୁ ନାହାନ୍ତି। ସେ କହିଛନ୍ତି ଯେ ୨୦୧୩-୧୪ର ୭୦୦ କୋଟିର ରେଳ ବଜେଟ ୨୦୧୬-୧୭ରେ ୫୧୦୦ କୋଟିରେ ପହଂଚିଛି। ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ୪ ହଜାର ୬୦୦ କିମିର ଜାତୀୟ ରାଜପଥ ମୋଦି ସରକାର ଆସିବା ପରେ ଆଉ ୪, ୮୦୦ କିମିର ନୂଆ ଜାତୀୟ ରାଜପଥ ବ୍ୟୟବରାଦ ସହ ଯୋଜନା ପ୍ରସ୍ତୁତ ହୋଇଛି। ଦ୍ୱିତୀୟ ଅନ୍ତରାଷ୍ଟୀୟ ଏୟାରପୋର୍ଟ ଓ ରାଜ୍ୟ ସାରା ୫ଟି ନୁଆ ଏୟାରପୋର୍ଟ ତିଆରି ହେବାର ପ୍ରକ୍ରିୟା ଚାଲିଛି। ୨୧ ଲକ୍ଷ ଏଲପିଜି କନେକ୍ସନ ୫୩ ଲକ୍ଷରେ ପହଂଚିଛି। କେବଳ ଉଜ୍ୱଳା ଯୋଜନାରେ ୧୭ ଲକ୍ଷ ଗରୀବ ମା ଭଉଣୀ ଘରେ ସରକାରୀ ଅର୍ଥରେ ଗ୍ୟାସ କନେକ୍ସନ ପହଂଚିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାର ପୁଂଜି ଭିତିଭୂମି ବିକାଶରେ ବ୍ୟବହାର କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ୟୁନିଟର ମୂଲ୍ୟ ଏବଂ ସଂଖ୍ୟା ବଢିଛି। ଏହା କଂଗ୍ରେସର ଲମ୍ବା ଦିନର ରାଜ୍ୟକୁ ଅବହେଳା ବଦଳରେ ମୋଦିଙ୍କ ସବକା ସାଥ ସବକା ବିକାଶ ଯୋଜନାରେ ଓଡିଶାର ଗୁରୁତ୍ୱକୁ ପ୍ରତିାଦିତ କରୁଛି ବୋଲି ଓଡିଆ ଲୋକ ମାନେ ବୁଝୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
୨୦୧୯ ନିର୍ବାଚନରେ ଦଳର ସ୍ଥିତି ନେଇ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପଂଚାୟତ ନିର୍ବାଚନରେ ରାଜ୍ୟରେ ୩ ନମ୍ବର ଦଳରୁ ୨ ନମ୍ବର ହୋଇ ସାରିଛୁ। ଏକ ନମ୍ବର ହେବାକୁ ଜନ ଆନ୍ଦୋଳନ ମାଧ୍ୟମରେ ଆଗକୁ ବଢୁଛୁ। ୨୦୧୪ ମସିହାର ବିଧାନସଭା ନିର୍ବାଚନରେ ୧୮ ପ୍ରତିଶତ ଭୋଟ ୩୩ ପ୍ରତିଶତରେ ପହଂଚିଛି। ଓଡିଶାରେ ବିକାଶକୁ ନେଇ ବିତର୍କ କରିବା ପାଇଁ ଦଳ ପ୍ରୟାସ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଦୀର୍ଘ ଦିନ ଶାସନରେ ରହିଲେ ଅର୍ଥ ଓ ସରକାରୀ କଳ ଆଧାରରେ ଜନ ପ୍ରିୟ ବୋଲି କିଏ ନିଜକୁ ଭାବି ପାରେ। ମାତ୍ର ତୃଣମୂଳ ସ୍ତରରେ ସାଧାରଣ ଲୋକ ମାନେ ବିକାଶ ପାଇଁ ମୋଦିଙ୍କୁ ସବୁଠୁ ଭଲ ଗ୍ରହଣୀୟ ଚେହେରା ବୋଲି ଗ୍ରହଣ କରି ସାରିଛନ୍ତି। ଓଡିଆ ଲୋକ ମାନେ ବଡ ପରିବର୍ତ୍ତନ ପାଇଁ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ହେଲେଣି। ଏହା ମୋଦିଙ୍କ ନେତୃତ୍ୱର ସମର୍ଥନରେ ନୂଆ ସରକାର ପାଇଁ ପଥ ପରିଷ୍କାର କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button