ରାଜ୍ୟ

ମହାନଦୀ ଆଲୋଚନା ଆଜି ହେବ

ଆଓରି(ତା୧୩|୪)- ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଶାସକ ବିଜେଡି ମହାନଦୀ ପ୍ରସଙ୍ଗରେ ହଟ୍ଟଗୋଳ କରି ଗୃହକୁ ଅଚଳ କରି ପକାଇଥିଲେ। ଗୁରୁବାର ବିରୋଧୀ ଦଳ ପକ୍ଷରୁ ସମାନ ପ୍ରସଙ୍ଗରେ ମଧ୍ୟ ଗୃହକୁ ଅଚଳ କରାଗଲା।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ। କାହାର କେତେ ଆନ୍ତରିକତା ଅଛି ଜଣାପଡିବ। ବିରୋଧୀ ଦଳ ଶାସକ ଦଳକୁ ଏମିତି ଆହ୍ବାନ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ମହନାଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହଟ୍ଟଗୋଳ କରିଥିଲେ। ଗୃହରେ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହକୁ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ ମୁଲତବୀ ସମୟରେ ବାଚସ୍ପତିଙ୍କ ଚାମ୍ବରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ପ୍ରଥମେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବାକୁ ନିଷ୍ପତ୍ତି ହେବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।
୧୦ଟା ୩୦ ମିନିଟରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ପ୍ରବେଶ କରିଥିଲେ। ବାଚସ୍ପତି ଟ୍ରାନ୍ସଫର କ୍ୱେଶ୍ଚିନରୁ ପ୍ରଶ୍ନୋତ୍ତର ଆରମ୍ଭ କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଛିଡା ହୋଇ ମହାନଦୀ ପ୍ରସଙ୍ଗରେ କହିବାକୁ ଚାହିଁଥିଲେ। ତେବେ ବାଚସ୍ପତି ତାଙ୍କୁ ଅନୁମତି ଦେଇ ନ ଥିଲେ। ବାଚସ୍ପତିଙ୍କ ମୁଡ୍‌ ଦେଖି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଚିରଞ୍ଜୀବୀ ବିଶ୍ୱାଳ, ନବ କିଶୋର ଦାସ, ଅଂଶୁମାନ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ଭୁଜବଳ ମାଝି, କେ.ସୂର୍ଯ୍ୟରାଓ ପ୍ରମୁଖ ଗୃହର ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କରିଥିଲେ।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବନ୍ଦ କରି ପ୍ରଥମେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ନିଜ ଜିଦ୍‌ରେ ଅଟଳ ରହି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଭାଜପା ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ। ଗୃହରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ବାଚସ୍ପତି କୌଣସି ଉପାୟ ନ ପାଇ ଗୃହକୁ ମାତ୍ର ଅଧମିନିଟ ପରେ ପୂର୍ବାହ୍ନ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି କହିଥିଲେ, ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗରେ ଏକ ଲେଖା ଦେଇଛନ୍ତି। ଗୃହରେ ବଜେଟ ଆଲୋଚନା କାଳରେ ମହାନଦୀ ଆଲୋଚନା ହେବ କି ନାହିଁ ସେ ନେଇ ତର୍ଜମା କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ପରେ ନରସିଂହଙ୍କୁ କହିବାକୁ ବାଚସ୍ପତି ଅନୁମତି ଦେଇଥିଲେ। ସୁଯୋଗ ପାଇ ନରସିଂହ ଶାସକ ଦଳ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ପ୍ରଶ୍ନକାଳ ବାତିଲ କରି ମହାନଦୀ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ। ବିରୋଧୀ ଦଳ ନେତା କୌଣସି ବ୍ୟକ୍ତି ବିଶେଷ ନୁହନ୍ତି। ଏହା ଏକ ସାମ୍ବିଧାନିକ ପଦବୀ। ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯିବା ଦରକାର। ସରକାର ଭାବିଛନ୍ତି ଯେ, ମହାନଦୀ ପ୍ରସଙ୍ଗକୁ ଗୃହ ଭିତରେ ଉଠାଇ ଦେଲେ ସମସ୍ୟାର ସମାଧାନ ହୋଇଯିବ। ଶାସକ ଦଳ ଗୃହ ବନ୍ଦ କରିବା କ୍ୱଚିତ ଦେଖାଯାଏ। ମହାନଦୀ ବିବାଦକୁ କେନ୍ଦ୍ର ନିକଟରେ ଜୋରସୋର ଉଠାଇବାକୁ ୨ଟି ଗୃହ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଛି। ମାତ୍ର ଏହି କମିଟି କେବେ ବସିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ପାରି ନାହିଁ। ଏହା ରାଜ୍ୟର ସମସ୍ୟା। ସବୁ ଦଳକୁ ନେଇ ବିରୋଧ କରାଗଲେ କିଛି ସୁଫଳ ମିଳି ପାରିବ। ସରକାର ଏହି ପ୍ରସଙ୍ଗକୁ ନେଇ ଆଦୌ ଚିନ୍ତିତ ଥିବା ଭଳି ମନେ ହେଉ ନାହିଁ। ଯଦି ଆନ୍ତରିକତା ଅଛି ତେବେ ତୁରନ୍ତ ଏହି ପ୍ରସଙ୍ଗରେ ସର୍ବ ଦଳୀୟ ବୈଠକ ଡକାଯାଉ ବୋଲି ନରସିଂହ କହିଥିଲେ। ଏହାପରେ ବାଚସ୍ପତି ଭାଜପା ସଭ୍ୟ ରବି ନାୟକଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ସେ ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ଶାସକ ଦଳ ବୁଧବାର ବିଧାନସଭାକୁ ଅଚଳ ନ କରି ଏହି ପ୍ରସଙ୍ଗରେ ଯଦି ଆଲୋଚନା କରିଥାନ୍ତେ ତାହା ହେଲେ ଭଲ ହୋଇ ଥାଆନ୍ତା। ଏହାକୁ ରାଜନୀତି କରଣ କରାଯାଉଛି । ମହାନଦୀରେ ୧୦ ବର୍ଷ ପୂର୍ବେ କେତେ ପାଣି ଆସୁଥିଲା। ଏବେ କେତେ ଆସୁଛି ତାହାର ହିସାବ ଦେଇ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ଏବଂ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ। ତେବେ ଜଣାପଡିବ ମହାନଦୀ ଶୁଖିଲା ପାଇଁ କିଏ ଦାୟୀ ବୋଲି କହିଥିଲେ। ବାଚସ୍ପତି ଏହି ପ୍ରସଙ୍ଗରେ ବିଜେଡି ସଭ୍ୟ ସଞ୍ଜୟ ଦାସବର୍ମାଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ତାରା ରିପୋର୍ଟରଙ୍କ ଚେୟାର ଉପରେ ଚଢି ବିରୋଧ କରିଥିଲେ। ହଟ୍ଟଗୋଳ ମଧ୍ୟରେ ସଞ୍ଜୟ କହିଥିଲେ, ଛତିଶଗଡ଼ ମହାନଦୀ ଉପରେ ନିର୍ମାଣ କରିଥିବା ବ୍ୟାରେଜର ୬୬ଟି ଗେଟ ପକାଇଛି। ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ। ସର୍ବଦଳୀୟ ବୈଠକ ଡକାଯାଉ। ବାଚସ୍ପତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ଡାକିବାକୁ ଘୋଷଣା କଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଭାଜପା ନେତା ପ୍ରଦୀପ ପୁରୋହିତ, ବିଜେଡି ସଭ୍ୟ ସଞ୍ଜୟ ଦାସବର୍ମା, ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଅନୁରୋଧ କରି ଗୃହକୁ ୧୧ଟା ୪୫ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ବାଚସ୍ପତିଙ୍କ ଚାମ୍ବରରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ପ୍ରଶ୍ନକାଳ ବାତିଲ କରାଯାଇ ସକାଳ ୧୦ଟା ୩୦ ମିନିଟରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସର୍ବଦଳୀୟ ବୈଠକ ପରେ ଗୃହ ସ୍ବାଭାବିକ ହୋଇଥିଲା ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା।

 

 

Related Articles

Leave a Reply

Your email address will not be published. Required fields are marked *

Back to top button