ଖେଳରାଜ୍ୟ

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର- ଗତକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି ରାଜଭବନ ଉଦ୍ୟାନ । ମୟୂର ଓ ଚିତ୍ରା ହରିଣଙ୍କ ବିଚରଣର ମନଲୋଭା ଦୃଶ୍ୟ ସାଙ୍ଗକୁ ଗେଣ୍ଡୁ, ଅର୍କିଡ୍‌, ଗୋଲାପ, ଜାର୍‌ବେରା, ସାଲ୍‌ଭିଆ ଭଳି ଫୁଲର ଅପରୂପ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ରାଜଭବନ ପରିସରକୁ ଟାଣିନେଉଛି। ଏଥିସହ ଅର୍ନାମେଣ୍ଟାଲ ପ୍ଲାଣ୍ଟ, ଓ୍ବାଟର ଫାଉଣ୍ଟେନ୍‌, ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ କିଚେନ୍‌ ଗାର୍ଡେନ୍‌ ଦେଖଣାହାରିଙ୍କୁ ଏକ ନୂଆ ଅନୁଭୂତି ଦେଉଛି। ଏହା ସହିତ କୃତ୍ରିମ ଝରଣା, କାଠ ବ୍ରିଜ୍‌, ଗୋଲାପ ବଗିଚା ଓ କାକ୍‌ଟସ୍‌ ହାଉସ୍‌ ଏଥର ପ୍ରମୁଖ ଆକର୍ଷଣ ସାଜିଛି।

ଉଦ୍ୟାନ ଦୁଇଟି ପର୍ଯ୍ୟାୟରେ ପର୍ଯ୍ୟଟକଙ୍କ ଲାଗି ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲିବାକୁ ଥିବା ଏହି ଉଦ୍ୟାନରେ ଭଳିକି ଭଳି ଫୁଲର ସମ୍ଭାର ଦେଖିବାକୁ ମିଳିଛି, ଯାହାକି ପ୍ରଥମ ଦିନରେ ଦର୍ଶକଙ୍କ ମନ ମୋହିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଜଭବନକୁ ଲାଗି ରହିଥିବା ପୁଷ୍ପ ଉଦ୍ୟାନ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ୩୦ରୁ ଅଧିକ ପ୍ରକାରର ଔଷଧୀୟ ବୃକ୍ଷ ଉଦ୍ୟାନରେ ଦେଖିବାକୁ ମିଳୁଛି, ଯାହା ମଧ୍ୟରେ ରହିଛି ମଞ୍ଜୁଆତି, ରୁଟା, ଘିକୁଆଁରୀ, ହାଡ଼ଯୋଡା, ପଶାରୁଣୀ, ପିପ୍ପଳି, ଅଶୋକା, ପାତାଳଗରୁଡ, ଗୋକୁଲା ଭଳି ବୃକ୍ଷ। ଏହି ଔଷଧୀୟ ବୃକ୍ଷଗୁଡ଼ିକୁ ଲୋକେ ଦେଖିବା ସହ ଏହା ସମ୍ପର୍କରେ ଅନେକ ତଥ୍ୟ ଜାଣିବାର ସୁଯୋଗ ମଧ୍ୟ ପାଉଛନ୍ତି। ଉଦ୍ୟାନର ଶୋଭା ବଢ଼ାଉଥିବା ଡିୟର ପାର୍କ ପାଖରେ ଦର୍ଶକଙ୍କ ଭିଡ଼ ଜମୁଛି। ତାରଜାଲି ବାହାରୁ ଆକର୍ଷଣୀୟ ଚିତ୍ରା ହରିଣଙ୍କୁ ଦେଖିବା ଲାଗି ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଏହାଛଡ଼ା ଚଳିତବର୍ଷ ପ୍ରଥମଥର ପାଇଁ ମୟୂର, ବତକ, କକାଟେଲ୍‌ ପକ୍ଷୀଙ୍କୁ ରାଜଭବନ ଉଦ୍ୟାନରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ରାଜଭବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ଦର୍ଶକଙ୍କ ପାଇଁ କିଛି କଟକଣା ଜାରି କରାଯାଇଛି। ଛୁଟିଦିନ ଏବଂ ରବିବାର ସହିତ ପ୍ରତ୍ୟହ ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଲୋକେ ଉଦ୍ୟାନ ପରିଦର୍ଶନ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button