March 31, 2023

ବିପିଏଲ୍‌ ର଼୍ୟାଙ୍କରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

1 min read
BPL-in-Odisha

ଆଓରି-ଭୁବନେଶ୍ଵର(୨୨/୦୭) : ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୩୩.୭୪% ପଏଣ୍ଟ ସହ ବିହାର ଶୀର୍ଷରେ ରହିଛି। ତେବେ ଜାତୀୟ ସ୍ତରରେ ବିପିଏଲ୍‌ଙ୍କ ସଂଖ୍ୟା ୨୧.୯୨ ପ୍ରତିଶତ ଥିବା ବେଳେ ୩୨.୫୯ ପ୍ରତିଶତ ପଏଣ୍ଟ ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ନୀତି ଆୟୋଗ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ବେସ୍‌ଲାଇନ ରିପୋର୍ଟ କହୁଛି। ଏହି ହାରକୁ ୧୦.୯୫%କୁ କମାଇବା ଲାଗି ରିପୋର୍ଟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟୱାରି ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଥିଲା। ୨୦୧୧-୧୨ ସୁଦ୍ଧା ରାଜ୍ୟର ୧କୋଟି ୩୦ ଲକ୍ଷ ୮୫ ହଜାର ବ୍ୟକ୍ତି ବିପିଏଲ ଶ୍ରେଣୀରେ ଅର୍ଥାତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଏଥିରେ ଦର୍ଶାଯାଇଥିଲା। ତେବେ ଓଡ଼ିଶାରେ ଦରିଦ୍ରଙ୍କ ସଂଖ୍ୟା ଦ୍ରୁତଗତିରେ କମୁଛି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ୨୦୦୪-୦୫ରେ ରାଜ୍ୟରେ ବିପିଏଲ୍‌ଙ୍କ ସଂଖା ୫୭.୨% ଥିବା ବେଳେ ୨୦୧୧-୧୨ବେଳକୁ ଏହା ୨୪.୬୧ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଦାବି କରାଯାଇଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୪-୦୫ରୁ ରାଜ୍ୟରେ ୨୫.୧ ପଏଣ୍ଟ ହାରରେ ଦାରିଦ୍ର୍ୟ କମୁଛି। ହେଲେ, ଗ୍ରାମାଞ୍ଚଳରେ ଏହି ହାର ୩୫.୬୯ ପ୍ରତିଶତ ରହିଛି। ତେବେ ସମାନ ଅବଧିରେ ତୁଳନାମତ୍କ ଭାବେ ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ଦାରିଦ୍ର୍ୟ ହାର ୧୬ ପ୍ରତିଶତ ପଏଣ୍ଟକୁ କମିଥିବା ରିପୋର୍ଟରେ କୁହାଯାଇଛି। ଗ୍ରାମାଞ୍ଚଳରେ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେଠାକାର ବିକାଶ ମୁଖ୍ୟତଃ କୃଷିର ଅଭିବୃଦ୍ଧି ସହ ଜଡ଼ିତ। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାର ୮୩ ପ୍ରତିଶତ ବ୍ୟକ୍ତି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବା ଲାଗି ନିରନ୍ତର ପ୍ରୟାସ କରାଯାଉଥିବା ବେଳେ ଅଧିବାସୀଙ୍କୁ ଘର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବା ଯୋଗୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟଙ୍କ ସଂଖ୍ୟା ହ୍ରାସ ପାଇବାରେ ସଫଳତା ମିଳୁଛି।

ସେହିପରି ସହରାଞ୍ଚଳରେ ଦାରିଦ୍ର୍ୟ ହାର କମାଇବା କ୍ଷେତ୍ରରେ ରାଜ୍ୟ ସରକାର ମହତ୍ତତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ରାଜ୍ୟରେ ଏହି ହାର ୨୦.୭୧ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୧୨% ରହିଛି। ଜାତୀୟ ସ୍ତରଠାରୁ ରାଜ୍ୟର ସହରାଞ୍ଚଳ ଦାରିଦ୍ର୍ୟ ଫାଙ୍କ ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରୁଛି। ବସ୍ତି ଅଞ୍ଚଳରେ ଜନସଂଖ୍ୟା ୩.୨୭% ସହ ଜାତୀୟ ହାରଠାରୁ ଯଥେଷ୍ଟ ତଳେ ରହିଛି। ଜାତୀୟ ସ୍ତରରେ ଏହି ହାର ୫.୪୧% ରହିଛି। ଯଦିଓ ଜାତୀୟ ସ୍ତରଠାରୁ ରାଜ୍ୟର ଦାରିଦ୍ର୍ୟ ହ୍ରାସ ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ଦାରିଦ୍ର୍ୟ ସ୍ତର ଯଥେଷ୍ଟ ଅଧିକ ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.