ରାଜ୍ୟର ମହିଳା ମାନଙ୍କ ସୁରକ୍ଷା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କଲେ ଲେଖାଶ୍ରୀ ସାମନ୍ତସିଂହାର
1 min read
ଆଓରି-ଭୁବନେଶ୍ଵର(୨୬/୦୩) : ବିଜେଡି ୩୩ ପ୍ରତିଶତ ଲୋକସଭା ଆସନରେ ମହିଳାଙ୍କୁ ନିର୍ବାଚନ ଲଢାଉଥିବା ଦାବି କରୁଥିବା ବେଳେ ୧୯ ବର୍ଷ ଶାସନରେ ରାଜ୍ୟର ମହିଳା ମାନଙ୍କ ସ୍ଥିତି କାହିଁକି ଦୟନୀୟ ରହିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ।
ଲୋକସଭାରେ ସାଙ୍କେତିକ ୩୩ ପ୍ରତିଶତ ମାତ୍ର ବିଧାନସଭାରେ କାହିଁକି ନାହିଁ ଏହା ଓଡିଆ ଲୋକ ପ୍ରଶ୍ନ ପଚାରୁଥିବା ବେଳେ ଏହାଠୁ ଆହୁରି ବଡ ସମସ୍ୟା ୧୯ ବର୍ଷ ଶାସନରେ ରାଜ୍ୟରେ ମହିଳାଙ୍କ ସମ୍ମାନ, ସୁରକ୍ଷା, ବିକାଶ ଓ ପ୍ରଗତିରେ ଭାଗିଦାରୀ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ରସାତଳଗାମୀ ହୋଇଛି । ଏଥିପାଇଁ ରାଜ୍ୟର ମହିଳା ଓ ପ୍ରତ୍ୟେକ ସମ୍ବେଦନଶୀଳ ଓଡିଶାବାସୀ ୧୯ ବର୍ଷ ବହୁତ ହୋଇଗଲା ରାଜ୍ୟ ସରକାର ବଦଳିବା ଦରକାର, ଏହି ସ୍ୱରରେ ସ୍ୱର ମିଳାଇ ପରିବର୍ତନ ଅଭିଯାନରେ ସାମିଲ ହୋଇଛନ୍ତି ।
ସମାଜର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ଆଦିବାସୀ ଝିଅ ମାନଙ୍କ ସହ ରାଜ୍ୟ ସରକାର ଧୋକ୍କା କରିଛି । ରାଜ୍ୟ ସରକାର ଖୋଦ୍ ବିଧାନସଭାରେ ସ୍ୱାକୀର କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ମାନଙ୍କରେ ୧୨ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ସନ୍ତାନ ପ୍ରସବ ମଧ୍ୟ କରିଛନ୍ତି । ୨୦୧୭-୧୮ ବର୍ଷରେ ୪୪୫ ଅନୁସୂଚିତ ଜାତି ଓ ଜନଜାତିର ମହିଳା ଦୁଷ୍କର୍ମର ଶୀକାର ହୋଇଥିବା ରାଜ୍ୟ ସରକାର ବିଧାନସଭାରେ ଲିଖିତ ଉତର ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କର ସମ୍ବେଦନଶୀଳତାକୁ ସ୍ପର୍ଶ କରିବାକୁ କାହିଁକି ବିଫଳ ହୋଇଛି ?
ରାଜ୍ୟର ୨୦ଟି ଜିଲ୍ଲାର ପିଲାମାନଙ୍କର ସ୍ଥିତି ଆଫ୍ରିକୀୟ ଦେଶ ମାନଙ୍କଠୁ ଉଦବେଗଜନକ ରହିଛି । ଏହି ୨୦ଟି ଜିଲ୍ଲା ମାନଙ୍କ ମଧ୍ୟରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୪୦ ପ୍ରତିଶତରୁ ଉର୍ଦ୍ଧ୍ଵ ଶିଶୁ ବୟସ ତୁଳନାରେ କମ ଉଚ୍ଚତା ଓ ଓଜନର ଶୀକାର ହେବା ଫଛରେ ଅପପୃଷ୍ଟି ହିଁ ମୁଖ୍ୟ କାରଣ । ରାଜ୍ୟର ୫୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶୀକାର ହୋଇଛନ୍ତି ।
ରାଜ୍ୟରେ ମହିଳା ମାନେ ଅଟୋରେ, ଖଟରେ ବୁହାହୋଇ ରାସ୍ତାରେ ପ୍ରସବ କରିବା ଏକ ସାଧାରଣ ଘଟଣା । ଏହା କଣ ନବୀନ ପଟ୍ଟନାୟକଙ୍କର ମହିଳାଙ୍କୁ ସମ୍ମାନ କି ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।