ଜିଲ୍ଲା

ଭାଷା ଅ‍ାନ୍ଦୋଳନ: କଳାପତାକା ପଟୁଆରରେ ସାମିଲ ହେଲେ ମହିଳା

ଅ‍ାଜିର ଓଡ଼ିଶା ବ୍ୟୁରୋ, ଭୁବନେଶ୍ବର:


ଓଡ଼ିଆ ଭାଷା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ‘ଭାଷା ଆନ୍ଦୋଳନ’ ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ମହିଳା। ଆନ୍ଦୋଳନର ୬୧ତମ ଦିନରେ ରବିବାର ଦିନ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଏବଂ କିରଣବାଳା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ବିପ୍ଳବୀ ସ୍ୱର୍ଗତ ଶୁଭେନ୍ଦୁ ସାମଲଙ୍କ ସହଧର୍ମିଣୀ ବିଣାପାଣୀ ସାମଲ, ସମାଜସେବୀ ରଶ୍ମି ମହାନ୍ତି ଏବଂ ମଧୁମିତା ସାମଲ ସାମିଲ ହୋଇଥିଲେ। ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କଠାରୁ କଳା ପତାକା ଗ୍ରହଣ କରି ଆନ୍ଦୋଳନକାରୀମାନେ ବିଧାନସଭା ସମ୍ମୁଖ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତି ନିକଟରୁ ବାହାରି ଜୟଦେବ ଭବନ ସମ୍ମୁଖ, ଏଜି ଛକ ଦେଇ ରାଜଭବନ ଛକସ୍ଥିତ ମଧୁସୂଦନଙ୍କ ପ୍ରତିମୂର୍ତି ନିକଟରେ ପହଞ୍ଚିଥିଲେ।

ସେଠାରେ ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଆବାହକ ପବିତ୍ର ମହାରଥା ଆନ୍ଦୋଳନକାରୀଙ୍କୁ ପ୍ରତିମୂର୍ତି ନିକଟକୁ ପାଛୋଟି ନେଇଥିଲେ। ଦାବି ଅନୁଯାୟୀ ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ମହିଳାମାନେ ହିଁ ଭାଷା ଆନ୍ଦୋଳନ ଦାବିକୁ ଆହୁରି ତୀବ୍ରତର କରିବେ ବୋଲି ଶପଥ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ସଭ୍ୟ ତୁଷାରକାନ୍ତ ଶତପଥୀ, ସଞ୍ଜୀବ ପତ୍ରୀ, ଅଜୟ ଜେନା, ନବ କିଶୋର ପ୍ରଧାନ, ସ୍ୱଦେଶ ଦାସ, ବେଣୁଧର ହରିଚନ୍ଦନ, ଗୋବିନ୍ଦ ଚନ୍ଦ୍ର ମାହୁନ୍ତ, ଅମରେଶ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button