ନିଜ ଗ୍ରାମରେ ପହଞ୍ଚିଲା ଶହୀଦ ଅଜିତ୍ ସାହୁଙ୍କ ମରଶରୀର
1 min read
ଆଓରି-ଭୁବନେଶ୍ଵର(୨୦/୦୬) : ଶହୀଦ ଅଜିତ୍ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ନିକଟସ୍ଥ ଗ୍ରାମର ହଜାର ହଜାର ସଂଖ୍ୟାରେ ଲୋକ ଅଜିତ୍ଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ଶହୀଦଙ୍କ ମରଶରୀରକୁ ପୈତୃକ ଘରକୁ ଅଣାଯିବା ପରେ ସେଠାରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ଏହାପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।
ବାୟୁସେନାର ସ୍ଵତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ଅଜିତ୍ଙ୍କ ପ୍ରାର୍ଥୀବ ଶରୀର ପହଞ୍ଚିବା ପରେ ୧୨୦ ବାଟାଲିୟନରେ ରଖାଯାଇଥିଲା। ସେଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ପହଞ୍ଚି ଶହୀଦଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ମରଶରୀରକୁ ଜନ୍ମମାଟିକୁ ନିଆଯାଇଥିଲା। ପ୍ରଥମେ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଅଜିତ୍ଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ କାମାକ୍ଷାନଗର ଅଭିମୁଖେ ଅଣାଯାଇଥିଲା। ପଣ୍ଡୁଆ ଛକଠାରୁ ପୈତୃକ ଗ୍ରାମ ବଡ଼ସୁଆଁଳ ଗ୍ରାମକୁ ଦୀର୍ଘ ୨୦ କିମି ଧରି ଏକ ବିଶାଳ ଶୋଭାଯାତ୍ରା କରି ତାଙ୍କୁ ନିଆଯାଇଥିଲା।
ଆଣିବା ବାଟରେ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଗ୍ରାମର ବିଦ୍ୟାଳୟ ଆଦି ସ୍ଥାନରେ କିଛି ସମୟ ଲାଗି ମରଶରୀରକୁ ରଖାଯାଇଥିଲା। ଏହାପରେ ଘରକୁ ଅଣାଯାଇଛି। ସେଠାରେ ଜିଲାପାଳ ନିଖିଲ ପୱନ କଲ୍ୟାଣ, ଏସ୍ପି ଅନୁପମା ଜେମ୍ସ, ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସୁଧାଂଶୁ ମହାନ୍ତି, ରାଜସ୍ବ ଅଧିକାରୀ ମନୋଜ କୁମାର ମାଝୀ, ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ, କାମାକ୍ଷାନଗର ଥାନାଧିକାରୀ ନିରଞ୍ଜନ ସେଠୀଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।