May 8, 2024

ତିନି ବର୍ଷ ଭିତରେ ବଢ଼ିଛି ଭାରତର କୋଟିପତିଙ୍କ ସଂଖ୍ୟା

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୩/୧୦) : ଭାରତର ଏକ କୋଟି ଟଙ୍କାରୁ ଅଧିକ ଆୟ କରୁଥିବ‌ା ଲୋକଙ୍କ ସଂଖ୍ୟା ହେଉଛି ୮୧,୩୪୪। ଏହି ସବୁ ବ୍ୟକ୍ତି ଟିକସ ରିଟର୍ଣ୍ଣ ଦାଖଲ କରିବା ବେଳେ ନିଜର ଆୟ ଏକ କୋଟିରୁ ଅଧିକ ଟଙ୍କା ବୋଲି ପ୍ରଦର୍ଶନ କରିଛନ୍ତି। ବିଗତ ତିନି ବର୍ଷ ଭିତରେ କୋଟିପତିଙ୍କ ସଂଖ୍ୟା ୬୦% ବଢ଼ିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

୨୦୧୪-୧୫ରେ କୋଟିପତି ବ୍ୟକ୍ତିଙ୍କ ସଂଖ୍ୟା ୪୮,୪୧୬ ଥିଲା। ୨୦୧୭-୧୮ ସୁଦ୍ଧା ତାହା ୬୮% ବୃଦ୍ଧି ପାଇ ୮୧,୩୪୪ରେ ପହଞ୍ଚିଯାଇଛି। ଯଦି କର୍ପୋରେଟ୍‌, ଭାଗବଣ୍ଟା ହୋଇନଥିବା ହିନ୍ଦୁ ପରିବାର (ଏଚ୍‌ୟୁଭି) ଭଳି ଟିକସଦାତାଙ୍କୁ ହିସାବକୁ ନିଆଯିବ ତେବେ ଦେଶର କୋଟିପତି ସଂଖ୍ୟା ହେଉଛି ୧,୪୦,୧୩୯। ଆଲୋଚ୍ୟ ଚାରି ବର୍ଷ ଭିତରେ ବେତ‌ନଭୋଗୀ ଟିକସଦାତା ସଂଖ୍ୟା ଅଣ ବେତନଭୋଗୀଙ୍କ ତୁଳନାରେ ଅଧିକ ବଢ଼ିଛି।
ସିବିଡିଟିର ଅଧ୍ୟକ୍ଷ ସୁଶିଲ ଚନ୍ଦ୍ରା କହିଛନ୍ତି ଯେ, ଅତୀତରେ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା କେତେକ କଡ଼ା ନିୟମ ଯୋଗୁ ଟିକସ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅଣ‌ ବେତନଭୋଗୀଙ୍କ ତୁଳନାରେ ବେତନଭୋଗୀ ଟିକସଦାତାଙ୍କ ସଂଖ୍ୟା ଅଧିକ ବଢ଼ିଛି। ଟିକସ ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।
ବିଗତ ଚାରି ବର୍ଷ ଭିତରେ ଟିକସ ରିଟର୍ଣ୍ଣ ଦାଖଲରେ ୮୦% ବୃଦ୍ଧି ହୋଇଛି।
ସିବିଡିଟି ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୫.୭% ବୃଦ୍ଧି ହୋଇ ୪.୮୯ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଛି। ସାରା ଆର୍ଥିକ ବର୍ଷରେ ସରକାର ୧୧.୫ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବେତନଭୋଗୀ ଟିକସଦାତା ସଂଖ୍ୟା ୩୭% ବଢ଼ିଛି

ବିଗତ ତିନି ବର୍ଷ ଭିତରେ ବେତନଭୋଗୀ ଟିକସଦାତାଙ୍କ ସଂଖ୍ୟା ୩୭% ବଢ଼ିଛି। ୨୦୧୪-୧୫ରେ ସେମାନଙ୍କ ସଂଖ୍ୟା ୧ କୋଟି ୭୦ ଲକ୍ଷ ଥିଲା। ୨୦୧୭-୧୮ ସୁଦ୍ଧା ‌ବେତନଭୋଗୀ ଟିକସଦାତାଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ହୋଇଯାଇଛି। ବେତନଭୋଗୀଙ୍କ ବାର୍ଷିକ ଆୟ ମଧ୍ୟ ବଢ଼ିଛି। ତିନି ବର୍ଷ ତଳେ ଏଭଳି ଟିକସଦାତାଙ୍କ ହାରାହାରି ଆୟ ୫ ଲକ୍ଷ ୭୬ ହଜାର ଟଙ୍କା ଥିଲା। ୨୦୧୭-୧୮ରେ ତାହା ୬.୮୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଅଣ ବେତନଭୋଗୀ ଟିକସଦାତାଙ୍କ ସଂଖ୍ୟା ମଧ୍ୟ ୨୭% ବୃଦ୍ଧି ପାଇ ୨.୩୩ କୋଟି ହୋଇଛି। ସେମାନଙ୍କ ହାରାହାରି ଆୟ ମଧ୍ୟ ବଢ଼ିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.