ରାଜ୍ୟ

ବିଦ୍ୟୁତ୍‍ କାଟ୍‍ର ଯୋଜନା ନାହିଁ

ଆଓରି(ତା୧୫|୪)-   ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‍ ଉତ୍ପାଦନ ହେଉଛି। ତେଣୁ ରାଜ୍ୟରେ ଏବେ ବିଦ୍ୟୁତ୍‍ କାଟ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ ବା ଘୋଷଣା ହୋଇନାହଁ। ଗ୍ରିଡ଼କୋଠାରୁ ମିଳିଥିବା ସୂଚନା ଆଧାରରେ ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।
ସହରାଞ୍ଚଳ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ବିଦ୍ୟୁତ୍‍ କାଟ ବନ୍ଦ କରିବା ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ପ୍ରବଳ ପବନ ବହିବା ଏବଂ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ହଠାତ ଲୋଡ଼ ବଢ଼ିଯିବା ଫଳରେ ସିଷ୍ଟମ ବ୍ରେକଡ଼ାଉନ ଯୋଗୁଁ ବିଦ୍ୟୁତ୍‍ ସେବା ବ୍ୟାହତ ହେଉଛି। ଏଥିରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ୟୁଟିଲିଟି ସଂସ୍ଥା ଗ୍ରାହକଙ୍କୁ ସଚେତନ କରିବା ଦ୍ୱାରା ସେମାନେ କେତେ ବିଦ୍ୟୁତ୍‍ ବ୍ୟବହାର କରୁଛନ୍ତି ସେ ବିଷୟରେ ସବିଶେଷ ସୂଚନା ଦେଉଛନ୍ତି।
ରାଜ୍ୟରେ କେତେ ବିଦ୍ୟୁତର ଚାହିଦା ରହିଛି ଓ କେତେ ପରିମାଣରେ ଉତ୍ପାଦନ ହେଉଛି ସେ ସଂକ୍ରାନ୍ତରେ ବିଧାୟକ ସନାତନ ମହାକୁଡ଼ଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଗ୍ରିଡ଼କୋଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତା, ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ହାରାହାରି ୩୫୦୦ ମେଗାୱାଟ ବିଦ୍ୟୁତ୍‍ ଆବଶ୍ୟକତା ଥିବାବେଳେ ବିଭିନ୍ନ ସୂତ୍ରରୁ ମୋଟ ୩୫୩୫ ମେଗାୱାଟ ବିଦ୍ୟୁତ୍‍ ଉତ୍ପାଦିତ ହେଉଛି।
ରାଜ୍ୟ ଜଳବିଦ୍ୟୁତ୍‍ କେନ୍ଦ୍ରରୁ ୫୭୦, ଇବ ଥର୍ମାଲରୁ ୩୫୦, ତାଳଚେରରୁ ୪୩୦, ଆଇପିପିରୁ ୪୭୫, ଆରଇ ପାୱାର ଷ୍ଟେସନରୁ ୪୭୫, କେନ୍ଦ୍ରୀୟ ପାୱାର ଷ୍ଟେସନରରୁ ୧୨୦୦, ପାୱାର ବ୍ୟାଙ୍କିଙ୍ଗରୁ ୨୦୦ ଓ ସିଜିପିରୁ ୨୫୦ମେଗାୱାଟ ବିଦ୍ୟୁତ୍‍ ମିଳୁଛି। 

ରାଜ୍ୟରେ ବଳକା ବିଦ୍ୟୁତ୍‍ ଶକ୍ତିକୁ ପାୱାର ଏକ୍ସଚେଞ୍ଜ ମାଧ୍ୟମରେ ବିକ୍ରି କରାଯାଉଛି। ବିଦ୍ୟୁତ୍‍ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ଓପିଜିସିର ୧୩୨୦ମେଗାୱାଟର ତୃତୀୟ ଓ ଚତୁର୍ଥ ୟୁନିଟ, ଏନଟିପିସିର ଦର୍ଲିପାଲି ପ୍ରକଳ୍ପ, ଟିଟିପିଏସର ସମ୍ପ୍ରସାରଣ, ବେଡ଼ାବାହାଲର ଅଲଟ୍ରାମେଗା ପାଓାର ପ୍ଲାଣ୍ଟ, ଆଇପିପି ଓ ନବୀକରଣ ଶକ୍ତି ପ୍ରକଳ୍ପରୁ ରାଜ୍ୟ ଅଂଶ କ୍ରୟ କରିବା ପାଇଁ ଗ୍ରିଡ଼କୋ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ପିପିଏ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଭବିଷ୍ୟତରେ ରାଜ୍ୟର ଚାହିଦା ପୂରଣ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button