କଳା ଓ ସଂସ୍କୃତି

ଯାତ୍ରା ପ୍ରେମୀଙ୍କପାଇଁ ଦୁଃଖ ଖବର, ରାଜ୍ୟରେ ଯାତ୍ରା ବନ୍ଦ ହେବାକୁ ଯାଉଛି

ଭୁବନେଶ୍ୱର (ଆଜିର ଓଡିଶା): ରାଜ୍ୟରେ ଲୋକମାନେ ଗଣ ମନୋରଂଜନର ଲୋକପ୍ରିୟ ମାଧ୍ୟମ ପାଲଟିଥିବା ଯାତ୍ରା ଦେଖିବାକୁ ପାଇବେ ନାହିଁ। ଦିନକୁ ଦିନ ଖର୍ଚ ବଢ଼ି ଚାଲିଥିବା ବେଳେ ବ୍ୟବସାୟରେ ମାନ୍ଦାବସ୍ଥା ଓ ଅନେକ ସମୟରେ ପ୍ରଶାସନ କଟକଣା ଦୃଷ୍ଟିରୁ ମାଲିକ ସଂଘ ଏଭଳି କଠୋର ନିଷ୍ପତ୍ତି ନେଇଛି ଅପପରପକ୍ଷରେ ଯଦି ରାଜ୍ୟ ସରକାର ଏହାର ସମାଧାନ ପାଇଁ ଯାତ୍ରା ମାଲିକ ସଂଘ ସହିତ ଆଲୋଚନା କରନ୍ତି ତେବେ ଏହାକୁ ସ୍ୱାଗତ କରାଯିବ।

ହୋଟେଲ ପ୍ରେସିଡେନ୍ସିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାତ୍ରା ମାଲିକ ସଂଘର ସଭାପତି ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଗତ ୫ବର୍ଷ ଧରି ଓଡ଼ିଶାରେ ଯାତ୍ରା ଶିଳ୍ପ ଏଭଳି ମାନ୍ଦାବସ୍ଥା ଦେଇ ଗତି କରୁଛି। ୭/୮ବର୍ଷ ପୂର୍ବରୁ ଯାତ୍ରା ପାଇଁ ଟିକେଟ୍‌ ୪୦ ଟଙ୍କା ରହିଥିବା ବେଳେ ଏବେ ବଢ଼ି ବଢ଼ି ୧୫୦/୨୦୦ ଟଙ୍କାରେ ପହଞ୍ଚିଛି। ଖର୍ଚ ମେଣ୍ଟାଇବାକୁ ଟିକେଟ୍‌ ବୃଦ୍ଧି କରିବା ଛଡ଼ା ଯାତ୍ରା ମାଲିକଙ୍କ ନିକଟରେ ଅନ୍ୟ କୌଣସି ବାଟ ନାହିଁ। ଏଭଳି ସ୍ଥିତିରେ ଗାଁ ଗହଳିରେ ଥିବା ଯାତ୍ରାର ଦର୍ଶକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ଫଳରେ ଯାତ୍ରା ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। କଳାକାରଙ୍କୁ ସୁବିଧା ସୁଯୋଗ କମୁ ନ ଥିବା ବେଳେ ଯାତ୍ରାରୁ ଉପାର୍ଜନ କମୁଛି।

ରାଜ୍ୟର ଅନେକ ସମୟରେ ବହୁ ବର୍ଷ ପୂର୍ବରୁ ଯାତ୍ରାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଏହି କାରଣରୁ ପ୍ରଶାସନ ସେସବୁ ସହରରେ ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ଦେଉନାହିଁ। ପୁରୀ, କଟକ ଓ ବରଗଡ଼ରେ ଏସବୁ କାରଣ ପାଇଁ ଯାତ୍ରା ପ୍ରଦର୍ଶନ ବନ୍ଦ ରହିଛି। ପରୀକ୍ଷା ସମୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଯାତ୍ରା ପାଇଁ ଅନୁମତି ଦେଉ ନାହାନ୍ତି। ପୂର୍ବରୁ ବର୍ଷକୁ ୩୦୦ ଦିନ ଯାତ୍ରା ହୋଇପାରୁ ଥିବା ବେଳେ ଏବେ ଅବଧି ଯଥେଷ୍ଟ କମି ଆସିଛି। ବାରମ୍ବାର କ୍ଷତି ସହି ବ୍ୟବସାୟ ଚଳାଇବା ଦିନକୁ ଦିନ କଷ୍ଟକର ହୋଇପଡ଼ୁଛି। ରାଜ୍ୟରେ ଏବେ ୨୩ଟି ଯାତ୍ରା ପାର୍ଟି ରହିଥିବା ବେଳେ ଏଥିରେ ୫ହଜାର କଳାକାର ସିଧାସଳଖ ଜଡ଼ିତ ଥିବା ବେଳେ ପ୍ରାୟ ୩୦ହଜାର ପରିବାର ଏହା ଉପରେ ନିର୍ଭରଶୀଳ। ଓଡ଼ିଶାର ୭୦ପ୍ରତିଶତ ମନୋରଂଜନ ଯାତ୍ରା ଶିଳ୍ପ ପ୍ରଦାନ କରିଆସୁଛି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆଲୋଚନା କରାଯାଏ ତେବେ ଏଥିରେ କୌଣସି ସମସ୍ୟା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସଂଘର ଉପଦେଷ୍ଟା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ଏଭଳି କଠୋର ନିଷ୍ପତ୍ତି ନେବା ପୂର୍ବରୁ ସଂଘର ୨/୩ଥର ବୈଠକ କରାଯାଇଥିଲା। ଏହି ନିଷ୍ପତ୍ତି ପଛରେ ଶତ ପ୍ରତିଶତ ମାଲିକଙ୍କ ସମର୍ଥନ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସତ୍ୟ ଜେନା, ନୟନ କୁମାର ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ବଳ ସାମନ୍ତ, ଶିବ ପ୍ରସାଦ ଲେଙ୍କା, କିଶୋର ମିଶ୍ର, ଅନନ୍ତ ନାରାୟଣ ଧଳ, ବିପିନ ବିହାରୀ ଦେଓ ଓ ଭରତ ଭୂଷଣ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button