December 7, 2023

ସଦଗୁରୁ ନିଗମାନନ୍ଦ ପରମହଂସ ଦେବଙ୍କ ନିର୍ବିକଳ୍ପ ସିଦ୍ଧି ସ୍ଥଳର ସପ୍ତମ ବାର୍ଷିକ ଉତ୍ସବ ପାଳିତ

1 min read

ଆଓରି- ଆସାମ-(୨୨/୧୨) : ଗତ ୨୦ ତାରିଖ ଦିନ ନୀଳାଚଳ ସାରସ୍ଵତ ସଂଘ ଆନୂକୁଲ୍ୟରେ ଆସାମ ଗୌହାଟୀସ୍ଥିତ ମା’ କାମାକ୍ଷା ପୀଠରେ ସଦଗୁରୁ ନିଗମାନନ୍ଦ ପରମହଂସ ଦେବଙ୍କ ନିର୍ବିକଳ୍ପ ସିଦ୍ଧି ସ୍ଥଳର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ଵ ଭକ୍ତ ଏବଂ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ନୀଳାଚଳ ସାରସ୍ଵତ ସଂଘର ପରିଚାଳକ ଶ୍ରୀଯୁକ୍ତ ଶରତ ସିଂହଦେଓ ଓ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମନ୍ମଥ ଚନ୍ଦ୍ର ଜେନା ଯୋଗଦେଇ ଏହି ବିଶେଷ ଅଧିବେଶନର ପରିଚାଳନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଆଜକୁ ପ୍ରାୟ ୧୧୫ବର୍ଷ ପୂର୍ବେ ସଦଗୁରୁ ଶ୍ରୀ ଶ୍ରୀ ନିଗମାନନ୍ଦ ପରମହଂସ ଦେବ ସାଧନା ସମୟରେ ଏହି କାମାକ୍ଷା ପୀଠରେ (ମା ଭୁବନେଶ୍ଵରୀ ମନ୍ଦିର ସନ୍ନିକଟ) ଏକ ନିର୍ଦ୍ଦିଷ୍ଟ ପ୍ରସ୍ତର ଖଣ୍ଡ ଉପରେ ନିର୍ବିକଳ୍ପ ସମାଧିରେ ଉପବେଶନ କରି “ମୁଁ ଗୁରୁ” ଏହି ଭାବରେ ପ୍ରତିଷ୍ଠିତ ହୋଇଥିଲେ । ପୌରଣିକ ତଥ୍ୟାନୁସାରେ କୌଣସି ସାଧକ ନିର୍ବିକଳ୍ପ ସମାଧିରୁ ଏହି ଇହଧାମକୁ ଫେରନ୍ତି ନାହିଁ । ଯଦି କେବଳ ଜଗତଗୁରୁଙ୍କ କିଛି ବିଶେଷ କାର୍ଯ୍ୟ ଥିଲେ ଏହାର ବ୍ୟତିକ୍ରମ ହୋଇଥାଏ ଏବଂ ସଦଗୁରୁ ନିଗମାନନ୍ଦଙ୍କ ସହିତ ଏହି ଲୀଳା ଘଟିଥିଲା ।

ଏହି ମହତ୍ତ୍ଵପୂର୍ଣ ପୀଠକୁ ଉଦ୍ଧାର କରିବାପାଇଁ ନୀଳାଚଳ ସାରସ୍ଵତ ସଂଘ ଆଜିକୁ ଦୀର୍ଘ ୧୫-୨୦ ବର୍ଷ ଧରି ଚେଷ୍ଟା କରିଆସୁଥିଲା । ତା ୨୦-୧୨-୧୨ରିଖ– ଏହି ଶୁଭ ଦିବସରେ ତତ୍କାଳୀନ ଆସାମ ରାଜ୍ୟପାଳ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ଏହି ପୀଠର ଉଦଘାଟନ ହୋଇଥିଲା। ଏହି ଦିନକୁ ଉକ୍ତ ପୀଠର ବାର୍ଷିକ ଉତ୍ସବ ଦିବସ ଭାବରେ ପାଳନ କରାଯାଉଛି।

ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିଶେଷ ସହାୟତାରେ ଦୂର୍ଗମ ଅରଣ୍ୟରେ ଏହି ମନଲୋଭା ପୀଠଟିଏ ସମ୍ଭବ ହୋଇପାରିଥିବାରୁ ନୀଳାଚଳ ସାରସ୍ଵତ ସଂଘ ତରଫରୁ ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି ଏହି ମହାନ ବ୍ୟକ୍ତିଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ତତ୍ ସହିତ ପରିଚାଳକ ଶ୍ରୀଯୁକ୍ତ ଶରତ ସିଂହଦେଓ କାମାକ୍ଷା ମନ୍ଦିର ଟ୍ରଷ୍ଟବୋର୍ଡକୁ ମଧ୍ୟ ଏହି ପୀଠ ନିର୍ମାଣରେ ସହାୟତା କରିଥିବାରୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଉତ୍ସବରେ ଉତ୍କଳର ଗୃହସ୍ତ ଭକ୍ତ ମାନଙ୍କ ସହିତ ଗୌହାଟୀ କଳାପହାଡ ସଂଘର ଅଧ୍ୟକ୍ଷ ଶୁଦ୍ଧ ଚୈତନ୍ୟ ମହାରାଜ, ଆସାମ ବଙ୍ଗୀୟ ସାରସ୍ଵତ ମଠର ଜୋରହାଟ ସଂଘର ଅଧ୍ୟକ୍ଷ ସୁରେଶ୍ଵରାନନ୍ଦ ମହାରାଜ, କାଶୀ ସଖା ସଂଘର ଅଧ୍ୟକ୍ଷ ବିଜୟାନନ୍ଦ ମହାରାଜ ତଥା ଗୋହାଟୀ ଅଞ୍ଚଳରୁ ୮-୧୦ ସନ୍ୟାସୀ ଓ ବ୍ରହ୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ । ସେମାନେ ଭାବବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୀଳାଚଳ ସାରସ୍ଵତ ସଂଘର ଏହିପରି ପଦକ୍ଷପକୁ ଭୂଇୟଶୀ ପ୍ରସଂଶା କରିଥିଲେ ।

ଏହିପରି ପ୍ରତିବର୍ଷ ଡିସେମ୍ବର ୨୦ ତାରିଖରେ ଏହି ନିର୍ବିକଳ୍ପ ସିଦ୍ଧିସ୍ଥଳର ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଥିଲା। ନୀଳାଚଳ ସାରସ୍ଵତ ସଂଘ ତରଫରୁ କଟକ ସଖା ସଂଘର ଶ୍ରୀଯୁକ୍ତ ରାମାକାନ୍ତ ଜେନା ଅକ୍ଲାନ୍ତ ପରିଶ୍ରମ କରି ଏହି ଉତ୍ସବର ସମସ୍ତ ବ୍ୟବସ୍ତା କରିଥିଲେ । ଓଡିଶା ବ୍ୟତୀତ ଦିଲ୍ଲୀ, କଲିକତା, ଆସାମରୁ ମଧ୍ୟ ଭକ୍ତମାନେ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.