ଆସନ୍ତା ସପ୍ତାହରେ ଜିନପିଙ୍ଗଙ୍କୁ ଭେଟିବେ ମୋଦି
1 min read
ଆଓରି(ତା୨୨|୪)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଚୀନର ଭେଟିବେ । ବେଜିଂଠାରେ ରବିବାର ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ୱାଙ୍ଗ ୟି ସୂଚନା ଦେଇଛନ୍ତି ଯେ ଅପ୍ରେଲ ୨୭ ଏବଂ ୨୮ରେ ଚୀନର ଉହାନଠାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମଧ୍ୟରେ ଅନେଔପଚାରିକ ଶିଖର ବୈଠକ ହେବ । ଗତବର୍ଷ ଡୋକଲାମଠାରେ ଦୁଇ ସେନା ଦୀର୍ଘ ସମୟ ମୁହାଁମୁହିଁ ଅବସ୍ଥାରେ ଥିଲେ । କୂଟନୀତିଜ୍ଞସ୍ତରରେ କଥାବାର୍ତ୍ତା ଦ୍ୱାରା ଗତିରୋଧ ହଟିଥିଲା । ତେଣୁ ଉଭୟ ଦେଶର ଏହି ଶୀର୍ଷ ନେତାଙ୍କ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ବୈଠକରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ସହ ବିବାଦ ଓ ମତଭେଦ ଦୂର କରିବା ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି । ୨୦୧୪ରେ ଶାସନକୁ ଆସିବା ପରଠାରୁ ଏହା ମୋଦିଙ୍କ ଚତୁର୍ଥ ଚୀନ ଗସ୍ତ ହେବ। ଏହାପରେ ମୋଦି ଚଳିତ ବର୍ଷ ଜୁନ୍ ୯ରେ ଚନୀର କ୍ୱିଙ୍ଗଦାଓରେ ହେବାକୁ ଥିବା ଶାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଯୋଗଦେବାକୁ ଚୀନ ଗସ୍ତ କରିବେ । ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଶାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ସଦସ୍ୟତା ଲାଭ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏସ୍ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପ୍ରଥମ ଥର ଭାଗ ନେଇଥିବା ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ । ସୁଷମା ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚୀନ ସତଲଜ ଏବଂ ବ୍ରହ୍ମପୁତ୍ର ନଦୀ ତଥ୍ୟ ଭାରତକୁ ପ୍ରଦାନ କରିବାକୁ ସହମ୍ମତି ଜଣାଇଛି ଓ ଭାରତ ଏହାର ସ୍ୱାଗତ କରୁଛି । ଚଳିତ ବର୍ଷଠାରୁ ନାଥୁ ଲା ମାର୍ଗ ଦେଇ କୈଳାସ ମାନସରୋବର ଯାତ୍ରା ସ୍ୱଭାବିକ ଭାବେ ଚାଲିବ । ଭାରତ ଏବଂ ଚୀନ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଅବିତର ବିକାଶ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମ୍ମତି ବ୍ୟକ୍ତ କରିଛନ୍ତି ।