ରାଜ୍ୟ

ମହିଳାଙ୍କ ଉପରେ ଅପରାଧ କ୍ଷେତ୍ରରେ ଓଡିଶାର ସ୍ଥିତି ସଙ୍ଗୀନ୍‌ ; ଏନସିଆର୍‌ବି ରିପୋର୍ଟ

ଆଓରି-ଭୁବନେଶ୍ଵର(୨୪/୧୦) : ମହିଳାଙ୍କ ଉପରେ ଅପରାଧ କ୍ଷେତ୍ରରେ ଓଡିଶାର ସ୍ଥିତି ସଙ୍ଗୀନ୍‌ । ସଦ୍ୟ ପ୍ରକାଶିତ ନ୍ୟାସନାଲ୍‌ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆର୍‌ବି ରିପୋର୍ଟ ଏହା ପ୍ରମାଣ କରିଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ଏନସିଆରବି ରିପୋର୍ଟ ସରକାରଙ୍କ ମା’କୁ ସମ୍ମାନ ନାରାର ଗୁମର ଖୋଲିଦେଇଛି ବୋଲି କହିଛନ୍ତି ବିରୋଧୀ ।

ଓଡିଶା ଅସୁରକ୍ଷିତ ! ଦିନକୁ ଦିନ ବଢୁଛି ଅପରାଧ ! ଆଉ ମହିଳାଙ୍କ ଉପରେ ଅପରାଧ କ୍ଷେତ୍ରରେ ଓଡିଶାର ସ୍ଥିତି ସଙ୍ଗୀନ । ଏକଥା ଆମେ କହୁନୁ, ବରଂ ସଦ୍ୟ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟ ଅନୁସାରେ ମହିଳା ଅପରାଧ କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶାର ସ୍ଥାନ ତୃତୀୟ । ଓଡିଶାରେ ମହିଳା ଅପରାଧ ରେଟ୍ ୯୪.୫ ଥିବା ବେଳେ ୯୪.୭ ରେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି ତେଲେଙ୍ଗାନା । ଆଉ ୧୪୩.୬ ରେଟ୍ ସହ ମହିଳା ଅପରାଧରେ ସର୍ବୋଚ୍ଚ ସ୍ଥାନରେ ରହିଛି ଆସାମ । ତେବେ ସବୁଠାରୁ ଉଦବେଗର ବିଷୟ ଏହା ଯେ ଓଡିଶାରେ ମହିଳାଙ୍କ ଉପରେ ଅପରାଧ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ୨୦୧୫ରେ ୧୭୨୦୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୧୬ରେ ୧୭୮୩୭ଟି ମାମଲା ଓ ୨୦୧୭ରେ ଏହା ବୃଦ୍ଧି ପାଇ ୨୦୦୯୮ରେ ପହଞ୍ଚିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାର ଭଳି ଅପରାଧରେ ୧୧.୬ ରେଟ୍ ସହ ଓଡିଶା ଦେଶରେ ଏକ ନମ୍ବର । କେବଳ ଏତିକି ନୁହେଁ, ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ମାମଲା ମଧ୍ୟ ବୃଦ୍ଧି ପାଇଛି । ୨୦୧୬ରେ କ୍ରାଇମ ରେଟ୍ ୯.୫ ରହିଥିବା ବେଳେ ୨୦୧୭ରେ ୨୦୭୦ଟି ରେପ୍ କେସ ସହ ଏହା ୯.୭କୁ ବୃଦ୍ଧି ପାଇଛି । ଆଉ ଅତ୍ୟନ୍ତ ଲଜ୍ଜା ଜନକ ବିଷୟ ଏହା ଯେ ସମୁଦାୟ ଦୁଷ୍କର୍ମ ପୀଡିତାଙ୍କ ମଧ୍ୟରୁ ୬୨.୭ ପ୍ରତିଶତ ନାବାଳିକା । ହେଲେ ପ୍ରତିବର୍ଷ ମହିଳାଙ୍କ ଉପରେ ବଢି ଚାଲିଥିବା ଅପରାଧ ତୁଳନାରେ ଦଣ୍ଡ ବିଧାନର ମାତ୍ରା ବହୁତ କମ । ଯାହାକି ଓଡିଶାରେ ମାତ୍ର ୭.୪ପ୍ରତିଶତ । ତେବେ ଏନସିଆରବି ରିପୋର୍ଟ ଉପରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ମାଓ ହିଂସା ହ୍ରାସ ପାଇଛି ବୋଲି କହିବା ସହ ୫-ଟି ମନ୍ତ୍ରର ଦ୍ୱାହି ଦେଇ ଆଗକୁ ଅପରାଧ ହ୍ରାସ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପ୍ରତିଦିନ ବୃଦ୍ଧି ପାଉଥିବା ମହିଳା ଅପରାଧକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କ ମା’କୁ ସମ୍ମାନର ନାରା କେବଳ ଲୋକ ଦେଖାଣିଆ । ଯାହାକି ଏନସିଆରବି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ବୋଲି କହିଛି ବିଜେପି । ସେପଟେ ଅପରାଧ ତୁଳନାରେ ଦଣ୍ଡ ବିଧାନର ମାତ୍ରା ଯଥେଷ୍ଟ କମ୍ ବୋଲି କହିବା ସହ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅପରାଧ ରେଟ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି କଂଗ୍ରେସ ।

ଅନ୍ୟପଟେ ଏନସିଆରବି ରିପୋର୍ଟ ଓ ରାଜ୍ୟରେ ଘଟିଥିବା ବହୁ ଚର୍ଚ୍ଚିତ ଇତିଶ୍ରୀ, ବେବିନା, କୁନ୍ଦୁଲି, ମାଧବିଲତା ମାମଲା ଗୁଡିକ ପରେ ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ସ୍ମିତାରାଣୀ ମୃତ୍ୟୁ ହିଁ ବୟାନ କରୁଛି ଓଡିଶାରେ ନାରୀ କେତେ ସୁରକ୍ଷିତ ।

Related Articles

Leave a Reply

Your email address will not be published. Required fields are marked *

Back to top button