ଆନ୍ତର୍ଜାତୀୟ

ସବୁଠୁ ବଡ଼ ନୌ-ସମରାଭ୍ୟାସ ଚୀନର

ଆଓରି(ତା୧୩|୪)- ଚୀନ ସେନା ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଗୁରୁବାର ସବୁଠୁ ବଡ଼ ନୌ ସମରାଭ୍ୟାସ କରି ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି । ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ବାୟୁ ସେନା ଓ ନୌ ସେନା ମିଳିତ ଭାବେ ଏହି ନୌ ସମରାଭ୍ୟାସରେ ଭାଗ ନେଇଥିଲେ । ଏଥିରେ ଚୀନର ବହୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ସାମିଲ ହୋଇଥିଲେ । ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ ନୌ-ସମରାଭ୍ୟାସର ସମୀକ୍ଷା କରିବା ସହ ନିଜ ଅଭିଭାଷଣ ରଖିଥିଲେ । ଜିନ୍‌ ପିଙ୍ଗ ଚୀନ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଓ କେନ୍ଦ୍ରୀୟ ସେନା କମିଶନ (ସିଏମ୍‌ସି)ର ଅଧ୍ୟକ୍ଷ ଅଛନ୍ତି । ସିଏମ୍‌ସି ଅଧୀନରେ ଚୀନ ସେନାର ୨୦ ଲକ୍ଷ ସୈନ୍ୟ ଅଛନ୍ତି । ଏହି ନୌ ସମରାଭ୍ୟାସରେ ଚୀନର ୪୮ଟି ଯୁଦ୍ଧ ଜାହାଜ, ୭୬ଟି ଯୁଦ୍ଧ ବିମାନ, ୧୦ ହଜାରରୁ ଅଧିକ ନୌ ଚାଳକ ଏବଂ ସୈନ୍ୟ ଭାଗ ନେଇଥିଲେ । କିଛି ଦିନ ପୂର୍ବରୁ ଆମେରିକାର ପ୍ରମୁଖ ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଥିଓଡର ରୁଜ୍‌ଭେଲ୍ଟରୁ ଦକ୍ଷିଣ ଚୀନ ସାଗରରେ ମାତ୍ର ୨୦ମିନିଟ ବ୍ୟବଧାନରେ ୨୦ଟି ଏଫ୍‌-୧୮ ଯୁଦ୍ଧବିମାନ ଉଡ଼ାଣ ଓ ଅବତରଣ କରି ଶକ୍ତି ପ୍ରଦର୍ଶନ କରିଥିଲା । ଆନ୍ତର୍ଜାତିକ ଆଇନ ଆଧାରରେ ଆମେରିକା ଦକ୍ଷିଣ ଚୀନ୍‌ ସାଗରରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦର୍ଶାଇଥିଲା । ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ନିୟମିତ ନୌଶକ୍ତି ଓ ବିମାନବାହିନୀର ଶକ୍ତି ପ୍ରଦର୍ଶନର ଜବାବରେ ଆମେରିକା ଏପରି କରିଥିଲା । ଚୀନ୍‌ ଏହି ସାଗରରେ ବିଶ୍ୱ ସମୁଦାୟଙ୍କୁ ବେଖାତିର କରି ନିୟମିତ ସାମରିକ ଅଭ୍ୟାସ କରୁଛି ଓ ଏହାର କ୍ରମବର୍ଦ୍ଧିଷ୍ଣୁ ନୌଶକ୍ତି ଜାହିର କରୁଛି। ଏହାକୁ ପ୍ରତିହତ କରିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଚୀନ ସମ୍ପୂର୍ଣ୍ଣ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରି ଆସୁଛି । ଅପରପକ୍ଷରେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ବୃନେଇ ଏବଂ ତାଇୱାନ ମଧ୍ୟ ଦକ୍ଷିଣ ଚୀନ ସାଗରର କେତେକ ଅଂଶ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ଆସୁଛନ୍ତି । ଏଭଳି ସ୍ଥିତିରେ ଏଠାରେ ଆମେରିକାର ଉପସ୍ଥିତିକୁ ଚୀନ୍‌ ସହଜରେ ଗ୍ରହଣ କରିପାରିନାହିଁ । ଚୀନ ସବୁଠୁ ବଡ଼ ନୌ ସମରାଭ୍ୟାସ କରି ଆମେରିକାକୁ ନିଜ ଶକ୍ତି ପ୍ରଦର୍ଶନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button