ଜାତୀୟ

ଭାରତୀୟ ନୌସେନାର ଆଉ ଏକ ସାହସିକ କାର୍ଯ୍ୟ ; ୨୬ ଜଣ ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କଲେ ନୌସେନା କମାଣ୍ଡର

ଆଓରି-ନୂଆଦିଲ୍ଲୀ(୨୧/୮) : କେରଳର ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ ଥିବା ଭାରତୀୟ ନୌସେନାର ଆଉ ଏକ ସାହସିକ କାର୍ଯ୍ୟର ଉଦାହାରଣ ଦେଖିବାକୁ ମିଳିଛି କେରଳର ବନ୍ୟା ପ୍ଲାବିତ ଚାଲାକୁଡ଼ି ସହରରେ।  ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ନୌସେନା ପାଖକୁ।

ନୌସେନାର ଲେଫଟ୍‌ନାଣ୍ଟ କମାଣ୍ଡର ଅଭିଜିତ ଗରୁଡ଼ ସୋମବାର ଦିନ ନୌସେନାର ଏକ ୪୨ବି ହେଲିକପ୍ଟରରେ ଆଉ କିଛି ସହଯୋଗୀଙ୍କୁ ଧରି ବନ୍ୟା ପ୍ଲାବିତ ଚାଲାଗୁଡ଼ି ସହରରେ ବନ୍ୟା ଦୁର୍ଗତଙ୍କ ଉଦ୍ଦେଶ୍ୟରେ ଆକାଶ ମାର୍ଗରୁ ଖାଦ୍ୟ ପୁଡ଼ିଆ ପକାଇବା ଉଦ୍ଦେଶ୍ୟରେ ବାହାରିଥିଲେ। ଚାଲଗୁଡ଼ି ସହର ଉପରେ ହେଲିକପ୍ଟର ଉଡ଼ାଇ ତଳକୁ ଖାଦ୍ୟ ପୁଡ଼ିଆ ପକାଉଥିବା ବେଳେ କମାଣ୍ଡର ଅଭିଜିତ ଦେଖିବାକୁ ପାଇଲେ ଯେ ଜଳବନ୍ଦୀ ଅବସ୍ଥାରେ ରହି ଯାଇଥିବା ଗୋଟିଏ ଦୁଇମହଲା ବିଶିଷ୍ଟ ଘରର ଛାତ ଉପରେ କିଛି ଲୋକ ସେଠାରୁ ଉଦ୍ଧାର ପାଇବା ପାଇଁ ଦୁଇ ହାତ ତାଙ୍କ ଆଡ଼କୁ ଉଠାଇ ସାହାଯ୍ୟ ଭିକ୍ଷା କରୁଛନ୍ତି।

ଏପରିସ୍ଥିତିରେ କ’ଣ କରିବେ କିଛି ବୁଝି ପାରିଲେ ନାହିଁ କମାଣ୍ଡର ଅଭିଜିତ। କାରଣ ସେଇ ଘରର ଛାତ ଉପରେ ନୌସେନାର ୪୨ବି ହେଲିକପ୍ଟରଟିକୁ ଅବତରଣ କରାଇବା ସହଜସାଧ୍ୟ ବ୍ୟାପାର ନଥିଲା। ଆଉ, ଯଦିବି ସେ ଉଡ଼ାଣର ବିଶେଷ କୌଶଳ ପ୍ରୟୋଗ କରି ହେଲିକପ୍ଟରର ସମସ୍ତ ଓଜନ ଚକ ଉପରେ ନରଖି ଶୂନ୍ୟରେ ରଖି ହେଲିକପ୍ଟରଟିକୁ ସଂପୃକ୍ତ ଘରର ଛାତ ଉପରେ କୌଣସି ପ୍ରକାରେ ଉଦ୍ଧାର କାର୍ଯ୍ୟ ପାଇଁ ଅବତରଣ କରାଉଛନ୍ତି, ତେବେ ସେ ପରିସ୍ଥିତିରେ ହେଲିକପ୍ଟରଟି ମାତ୍ର ୩ରୁ ୪ ସେକେଣ୍ଡ ପାଇଁ ରହିପାରିବ। ଯଦି ଅଧିକା ସମୟ ରହିଲା ତେବେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡ ଖଣ୍ଡ ହୋଇଯିବ।

ଏପରିସ୍ଥିତରେ କ’ଣ କରାଯାଇ ପାରିବ ବୋଲି ଭାବି କମାଣ୍ଡର ଅଭିଜିତ ଯେତେବେଳେ ତଳକୁ ଅନାନ୍ତି ତ ଦେଖିଲେ ସେତେବେଳକୁ ପ୍ରାୟ ୨୨ ଜଣ ଲୋକ ଛାତ ଉପରକୁ ଆସି ସାହାଯ୍ୟ ମାଗି ତାଙ୍କ ଆଡ଼କୁ ହାତ ହଲାଉଛନ୍ତି। ଏପରିସ୍ଥିତିରେ ସବୁକିଛି ଭୁଲିଗଲେ କମାଣ୍ଡର ଅଭିଜିତ ନିଜର ଓ ନିଜ ସାଥୀ ସହଯୋଗୀ ମାନଙ୍କର ଜୀବନକୁ ବାଜି ଲଗାଇ ହେଲିକପ୍ଟରକୁ ଅବତରଣ କରାଇଲେ ଘର ଛାତ ଉପରେ ଏବଂ ସାଥୀ ସହଯୋଗୀମାନଙ୍କୁ ହେଲିକପ୍ଟରରୁ ତଳକୁ ଖସାଇ ସେଇ ଛାତ ଉପରୁ ଉଦ୍ଧାର କଲେ ସର୍ବମୋଟ ୨୬ ଜଣଙ୍କୁ। ଏମାନଙ୍କ ମଧ୍ୟରେ ଜଣେ ୮୦ ବର୍ଷର ବୃଦ୍ଧ ଥିଲେ ହ୍ଵିଲ ଚେୟାରରେ। ଯେହେତୁ ହେଲିକପ୍ଟରଟି ଅବତରରଣ କଲେ ଅଧିକ ସମୟ ଛାତ ଉପରେ ରହିପାରିବ ନାହିଁ, ସେଥିପାଇଁ ତାଙ୍କୁ ହେଲିକପ୍ଟରଟିକୁ ଅନେକ ଥର ଅବତରଣ କରାଇବା ସହ ଉପରକୁ ନେବାକୁ ପଡ଼ିଥିଲା। ଏହି ପୂରା ଅପରେସନ୍‌କୁ ଲାଗିଥିଲା ସମୁଦାୟ ୮ ମିନିଟ।

Related Articles

Leave a Reply

Your email address will not be published. Required fields are marked *

Back to top button