March 26, 2023

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କଲେ ସଂସଦରେ କମାଲ, ୫ଟି ଭାଷାରେ ଭାଷଣ ଦେଇ ଚର୍ଚ୍ଚା ସାଉଁଟିଲେ

1 min read

ଆଓରି-ନୂଆଦିଲ୍ଲୀ(୨୪/୦୬): ପୁଣି ଚର୍ଚ୍ଚା ସାଉଁଟିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଭାଷଣ । ସଂସଦର ଚଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଭାଷଣରେ ଆଜି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଗଲେ । ନିଜ ଓଜସ୍ୱିନୀ ଭାଷାରେ ସାରା ଦେଶରେ ପୁଣି ଥରେ ଚର୍ଚ୍ଚା ସାଉଁଟିଛନ୍ତି ଓଡ଼ିଆ ପୁଅ, ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ସଂସଦରେ ଓଜସ୍ୱୀ ଭାଷଣ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ପ୍ରତାପ ଷଡଙ୍ଗୀ । ଇଂରାଜୀ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଓଡ଼ିଆ ଭାଷାରେ ଭାଷଣ ଦେଇଛନ୍ତି ପ୍ରତାପ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି ଓ ସଫଳତାଙ୍କୁ 5ଟି ଭାଷାରେ ନିଜ ଭାଷଣରେ ଉପସ୍ଥାପନ କରିଛନ୍ତି ପ୍ରତାପ ।

ସେ କହିଛନ୍ତି ଜଣେ ସାଧରଣ ଚା’ ବାଲା ଆଜି ଦ୍ୱିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି । ସେ ନିଜେ ମଧ୍ୟ ମୋଦିଙ୍କ ପରି ଏକ ସାଧାରଣ ପରିବାରରୁ ଆସିଛନ୍ତି । ଦେଶର ଲୋକେ ଭେଜାଲ୍ ମେଣ୍ଟ ନୁହେଁ ଅସଲି ମାଲ୍ ଚାହାନ୍ତି ବୋଲି କହିଛନ୍ତି ପ୍ରତାପ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମ୍ପୂର୍ଣ୍ଣ ଭାଷଣକୁ ସ୍ୱଳ୍ପରେ ଜାଣନ୍ତୁ:

“ରାଜନୀତି ମୋ ପାଇଁ ଏକ ଜନସେବାର ମାଧ୍ୟମ । ମୁଁ ଏକ ସାଧାରଣ ପରିବାରରୁ ଆସିଛି । ରାଷ୍ଟ୍ରପତିଙ୍କ ଭାଷଣ ଐତିହାସିକ ଭାଷଣ ଥିଲା ।ଜନମତକୁ ବିନମ୍ରତାର ସହ ଗ୍ରହଣ କରିବା ସଭ୍ୟ ଆଚରଣ । ପୂର୍ବରୁ ଟୁଜି, ଥ୍ରିଜି ଭଳି ଦୁର୍ନୀତିରେ ସରକାର ଲିପ୍ତ ଥିଲା । ବିଗତ 5 ବର୍ଷରେ ସରକାରରେ ଦୁର୍ନୀତିର ସାମାନ୍ୟ ଛିଟା ଲାଗିନି  । 2014-19 ପ୍ରଧାନମନ୍ତ୍ରୀ ଦେଶର ସେବକ ହୋଇ ସେବା କରିଛନ୍ତି । ଦେଶରେ ରଘୁକୂଳ ନୀତି ଚାଲିଛି । ପ୍ରାଣ ଯାଇଛି ପଛେ ବଚନ ଯାଇନାହିଁ । ସବ୍‌କା ସାଥ୍‌ ସବ୍‌କା ବିକାଶ ନୀତିରେ କାମ ଚାଲିଛି । ମୋଦି ପିଲାଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି । ଦେଶରେ ସର୍ଜିକାଲ ଷ୍ଟ୍ରାଇକ୍ ହେଲା । କିନ୍ତୁ ବିରୋଧି ଏହାର ପ୍ରମାଣ ମାଦିଲେ । ବାପା କିଏ ଜାଣିବା ପାଇଁ ମା କଣ ଡିଏନ ପରୀକ୍ଷା କରିବାକୁ କୁହେ ।”

ପ୍ରତାପ କହିଛନ୍ତି, “ 2014ରେ ପ୍ରଧାନମନ୍ତ୍ରୀ ମୋଦି 5 ବର୍ଷର ହିସାବ ଦେବାକୁ କହିଥିଲେ । ତେବେ ପ୍ରତିବର୍ଷ ମୋଦି ଭିନ୍ନ ଭିନ୍ନ ଭାଗକୁ ଯାଇଁ ନିଜର ହିସାବ ଦେଇଛନ୍ତି । ଆଜିଯାଏଁ କେଉଁ ପ୍ରଧାନମନ୍ତ୍ରୀ ଏଭଳି କରିନାହାନ୍ତି । ନିଜ କାମର ହିସାବ ଦେଇ ପୁଣି ନିର୍ବାଚିତ ହୋଇ ମୋଦି ଆସିଛନ୍ତି । ବିଜେପି ବା ଏନ୍‌ଡିଏ ନାରା ଦେଇ ନଥିଲା କିନ୍ତୁ ଦେଶର ଜନତା ନାରା ଦେଲେ “ଅବ୍‌କି ବାର 300 ପାର୍ । ଖରାରେ ଲମ୍ବା ଧାଡିରେ ଠିଆ ହୋଇ କଠୋର ଜନମତ ଦେଇ ସବୁ ଅପପ୍ରଚାରର ଜବାବ ଦେଇଛନ୍ତି ଜନତା ।”

“ଯେଉଁମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ, ସେମାନେ ମୋଦିଙ୍କୁ ସହିପାରୁ ନାହାଁନ୍ତି । ଭଲ କଥାକୁ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ୍ । 1971 ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ବାଜପେୟୀ ପ୍ରଶଂସା କରିଥିଲେ । ଏହି ସମୟରେ ସେ ଆଶାକର୍ମୀ ମନୋରମା, ଚା ବିକାଲୀ ଡ. ପ୍ରକାଶ ରାଓଙ୍କ କଥା କହିଛନ୍ତି । ଚଳିତ ନିର୍ବାଚନରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ 12 ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଛନ୍ତି । ଦେଶର ଜନତା କଠୋର ଜନାଦେଶର ପ୍ରମାଣ ଦେଇଛନ୍ତି । ମୋଦିଙ୍କ ଉପରେ ସାଧାରଣ ଲୋକଙ୍କର ଅଖଣ୍ଡ ବିଶ୍ୱାସ ରହିଛି ତାହା ପ୍ରମାଣିତ ହୋଇଛି ।”

ଶିଖ୍ ଦଙ୍ଗା କିଏ କରିଥିଲା, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ କିଏ ବାହାର କରିଥିଲେ, ନିର୍ବାଚନ କମିଶନ ଉପରେ କିଏ ପ୍ରଶ୍ନ ଉଠାଇଥିଲା, ଇଭିଏମକୁ କିଏ ଦୋଷୀ କରିଛି ବୋଲି କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଷଡଙ୍ଗୀ । ଏହି ଇଭିଏମକୁ ପ୍ରଶଂସା କରିବା ଉଚିତ୍ କାରଣ ଏହି ଇଭିଏମ୍ ତୁମକୁ ତିନି ଥର ପ୍ରଧାନମନ୍ତ୍ରୀ ଆସନରେ ବସାଇଥିଲା । 15-20 ବର୍ଷ ଶାସନରେ ବସି ମଧ୍ୟ ବିରୋଧୀ ନେତୃତ୍ୱ ହୋଇ ପାରିଲେ ନାହିଁ । ତେଣୁ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗି ନେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.