ଜାତୀୟଜିଲ୍ଲା

ନଗଡା ଶିଶୁମୃତ୍ୟୁ ନେଇ ଜନସ୍ୱାର୍ଥ ମାମଲା: କେନ୍ଦ୍ର ଓ ରାଜ୍ୟକୁ ଜବାବ ତଲବ

କଟକ:ନଗଡା ଶିଶୁ ମଡକ ଘଟଣାକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୩ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍‌ ଯୁଗ୍ମ ସଂପାଦକ ଆଇନଜୀବୀ ତାପସ କୁମାର ଦ୍ଵିବେଦୀଙ୍କ ପକ୍ଷରୁ ରୁଜୁ ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟରେ ଆଦିବାସୀ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ଫଳରେ ଏପରି ଅଞ୍ଚଳରେ ଶିଶୁ ଓ ଗରିବ ଲୋକମାନଙ୍କ ପ୍ରାଣହାନୀ ଘଟୁଛି।  ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ନଗଡା ଭଳି ଅଞ୍ଚଳରେ ସାଧାରଣ ମୌଳିକ ସୁବିଧା ନାହିଁ। ଅପପୁଷ୍ଟିରୁ ୧୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଲୋକମାନେ ଉପଯୁକ୍ତ ଖାଦ୍ୟ ପାଇ ପାରୁ ନାହାନ୍ତି। ଏଥି ସହିତ ପାନୀୟ ଜଳ ଓ ବିଦ୍ୟୁତର ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ। ଶିକ୍ଷା ଓ ସ୍ୱାସ୍ଥ୍ୟ ଏହି ଅଞ୍ଚଳର ବାସିନ୍ଦାଙ୍କ ପାଇଁ ସ୍ୱପ୍ନ। ଅଞ୍ଚଳକୁ ରାସ୍ତାଘାଟ ସୁବିଧା ନାହିଁ। ଡାଇରିଆ ଓ ଦୂଷିତ ପାଣି ଯୋଗୁ ବ୍ୟାପୁଥିବା ବିଭିନ୍ନ ରୋଗରେ ଲୋକମାନେ ଆକ୍ରାନ୍ତ। ସ୍ୱାସ୍ଥ୍ୟସେବା ଅଭାବରୁ ଶିଶୁମାନେ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି। ଲୋକମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି।
ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ପୁଷ୍ଟିହୀନତା ଦୂର ପାଇଁ ଗତ ୩ ବର୍ଷ ଭିତରେ ସରକାର ୨୨ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅର୍ଥକୁ ସମାନ ଭାବେ ଯୋଗାଇ ଦେଇଛନ୍ତି। ନଗଡା ଘଟଣା ପଦାକୁ ଆସିବା ପରେ ପ୍ରକୃତ ସ୍ଥିତି ସମ୍ମୁଖକୁ ଆସିଛି। ଏହି ଅର୍ଥ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରି ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏହି ୨୨ଶହ କୋଟି ଟଙ୍କା କିପରି ବିନିଯୋଗ ହୋଇଛି ତାହାର ତଦନ୍ତ କରାଯିବା ଉଚିତ। ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ଵାରା ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ଓ ଲୋକମାନେ ବିଭିନ୍ନ ଯୋଜନାରୁ ଫାଇଦା ପାଇ ପାରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ବିଭିନ୍ନ ଯୋଜନା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଏହି ଯେଜନା ଗୁଡିକର ଫାଇଦା ନଗଡା ଭଳି ଅଞ୍ଚଳରେ ପହଞ୍ଚି ପାରୁ ନାହିଁ।
ଏଥି ସହିତ ଖଣି ଖନନ ଯୋଗୁ ଜଳ ଓ ବାୟୁ ପ୍ରଦୂଷଣ ଜନିତ ସମସ୍ୟା ମଧ୍ୟ ନଗଡାରେ ଗରୁତର ସ୍ଥିତିରେ ପହଞ୍ଚିଛି। ଗଣମାଧ୍ୟମରେ ନଗଡା ସଂପର୍କିତ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନାହିଁ। ଅଞ୍ଚଳର ବିକାଶ ନ ହେବା ପଛରେ ପ୍ରଶାସନିକ ର ନିଷ୍କ୍ରିୟତା ମୁଖ୍ୟ କାରଣ। ନଗଡା ଶିଶୁ ମଡକ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଯାଜପୁର ଜିଲ୍ଲାପାଳ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘାସିରାମ ବର୍ମା ଓ ଅନନ୍ତ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button