March 22, 2023

ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା

1 min read

ଆଓରି-ଭୁବନେଶ୍ବର(୦୬/୦୯): କେଶୁରା ବ୍ୟାଙ୍କ କଲୋନି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଜଣଙ୍କ ହେଲେ, ଅସୀମା ପ୍ରିୟଦର୍ଶନୀ(୩୦)। ଅସୀମାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ନମ୍ବର ୪୧୧/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ମହିଳାଙ୍କ ସ୍ବାମୀ ଉମାକାନ୍ତ ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୁଲିସ ସୂଚନା ମୁତାବକ, ୬ ବର୍ଷ ତଳେ ଅସୀମା ଉମାକାନ୍ତଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତେବେ କିଛି ଦିନ ତଳେ ଉମାକାନ୍ତ ଯୌତୁକ ବାବଦକୁ ଟଙ୍କା ଆଣିବା ପାଇଁ ଅସୀମାଙ୍କୁ କହିବାରୁ ସବୁ ଓଲଟପାଲଟ ହୋଇଯାଇଥିଲା। ବାହାଘରର ଏତେ ଦିନ ପରେ ଯୌତୁକ କଥା ଶୁଣି ଅସୀମା ହେୟଜ୍ଞାନ କରିଥିଲେ। ଉମାକାନ୍ତ ବାରମ୍ବାର ଟଙ୍କା ପାଇଁ କହିଥିଲେ ବି ସେ ଶୁଣିନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ବୁଧବାର ରାତିରେ ମଧ୍ୟ ଉଭୟଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଉମାକାନ୍ତ ଅସୀମାଙ୍କୁ ମାଡ଼ପିଟ୍‌ କରିଥିଲେ। ତେବେ ଗୁରୁବାର ସକାଳୁ ଅସୀମା ଫ୍ୟାନ୍‌ରେ ଝୁଲୁଥିବା ଦେଖାଯାଇଥିଲା। ଉମାକାନ୍ତ ତାଙ୍କୁ ପାଣ୍ଡରାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତ କରିଥିଲା। ଖବର ପାଇ ଅସୀମାଙ୍କ ବାପା ଚିତ୍ତରଂଜନ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଉମାକାନ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.