ପଦ୍ମ ଧରିଲେ ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ
1 min read
ଆଓରି-ଭୁବନେଶ୍ଵର(୨୨/୦୩) : ବିଜେଡିରୁ ଆସ୍ଥା ହରାଉଛନ୍ତି କି ନେତା? ରାଜ୍ୟ ରାଜନୀତିରେ ବର୍ତ୍ତମାନ ଚାଲିଥିବା ସମୟକୁ ଦେଖି ଯିଏ ହେଉ ନା କାହିଁକି ଏ ପ୍ରଶ୍ନ ପଚାରିବା ସ୍ୱାଭାବିକ୍ । କାରଣ ବିଜେଡିରୁ ଜଣେ ପରେ ଜଣେ ବରିଷ୍ଠ ଓ ପୁରୁଖା ନେତା ଦଳ ଛାଡି ବିଜେପି ମୁହାଁ ହେଉଛନ୍ତି । ଲଗାତାର ବିଜେଡିରୁ ବହୁ ନେତା ମନ୍ତ୍ରୀ ବିଜେପିରେ ମିଶିଥିବା ବେଳେ ଗୁରୁବାର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ମଧ୍ୟ ପଦ୍ମ ଧରିଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଗତକାଲି 3 ଜଣ ବିଧାୟକ ଓ 2 ଜଣ ପୂର୍ବତନ ବିଧାୟକ ଓ ସାଂସଦ ବିଜେପିରେ ଯୋଗ ଦେଇଥିଲେ ।
ସୂଚନା ଯେ, ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜନ୍ତ ପଣ୍ଡା, କେଭି ସିଂହ ଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ରିଷଭ ନନ୍ଦ ଆଜି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ତେବେ ରିଷଭ ବିଜେଡି ଛାଡି ବିଜେପିରେ ସାମିଲ ହେବା ଶାସକ ଦଳ ତଥା ବିଜେଡିକୁ ଧକ୍କା ଦେଇଥିବା ଆଲୋଚନା ହେଉଛି ।
ଯାହା ଜଣାପଡିଛି, ବିଜେଡିରେ ଟିକଟ ଆବଣ୍ଟନକୁ ନେଇ ଗୃହ କନ୍ଦଳ ବଢିଛି । ଏହିକ୍ରମରେ ଜଣେ ପରେ ଜଣେ ବରିଷ୍ଠ ନେତା ବିଜେପି ଆଡେ ମୁହାଁଉଛନ୍ତି । ଏନେଇ ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡୁଥିବା ବିଜେଡିକୁ ଶକ୍ତ ଧକ୍କା ଲାଗିଛି ।