ରାଜନୀତି

ଜୁଲାଇରେ ଓଡିଶା ଆସିବେ ମୋଦୀ ଓ ଶାହା

ଆଓରି-ଭୁବନେଶ୍ୱର(୧୮/୬) : ତୃଣମୂଳସ୍ତରରେ ବିଜେପିର ସାଙ୍ଗଠନିକ ସ୍ଥିତି ପରଖିବା ଏବଂ ଝାରସୁଗୁଡା ବିମାନ ବନ୍ଦର ଉଦ୍‍ଘାଟନ ଭଳି ଦୁଇଟି ପ୍ରମୁଖ କାରଣ ନେଇ ଜୁଲାଇ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୃଥକ୍‍ ଭାବେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ ଜୁଲାଇ ୫ ତରିଖରେ ଝାରସୁଗୁଡା ବିମାନ ବନ୍ଦର ଉଦ୍‍ଘାଟନ ଲାଗି ପ୍ରଧାନମନ୍ତ୍ରୀ ଆସି ଉକ୍ତଦିନ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା ଲାଗି ଆସିବେ।
ଏହି ଅବସରରେ ଦଳକୁ ଦେଇଥିବା ଟାର୍ଗେଟ କେତେଦୂର କର୍ମୀ ଓ ନେତାମାନେ ସଫଳ କରିଛନ୍ତି ତାହା ଅବଗତ ହେବେ। ରାଜ୍ୟସ୍ତରୀୟ ନେତୃବୃନ୍ଦ, ରାଜ୍ୟ ପ୍ରଭାରୀଙ୍କ ସହିତ ଏନେଇ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ସରକାର ଗତ ୪ବର୍ଷରେ କରିଥିବା ୪୮ଟି ଜନହିତକର ଯୋଜନା ମଧ୍ୟରୁ ରାଜ୍ୟ ସରକାର କେଉଁଗୁଡିକ କିଭଳି କାର୍ଯ୍ୟାନ୍ୱୟନ କରୁଛନ୍ତି ତାହାର ସମୀକ୍ଷା କରାଯିବ। ଏହାବାଦ୍‍ ବୁଥ୍‍ସ୍ତରରୁ ତୃଣମୂଳ କର୍ମୀଙ୍କୁ ନେଇ ସଙ୍ଗଠନ ସୁଦୃଢ଼ କରିବାପାଇଁ ଯେଉଁ ମନ୍ତ୍ର ଦିଆଯାଇଛି ତାହା ସବୁଠାରେ ପହଞ୍ଚିଲା ନାହିଁ ତା’ର ଟିକିନିଖି ହିସାବ ନେବେ। ବିଶେଷ କରି ବିଜେଡି ସରକାର ଦୀର୍ଘ ୧୮ବର୍ଷ ରାଜ୍ୟରେ ରାଜୁତି କରୁଛି, ହେଲେ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ଠିକ୍‍ ଭାବେ ପହଞ୍ଚି ପାରୁ ନାହିଁ। ଏହାର ସୁଯୋଗ ନେଇ ବିଜେଡି ବାରମ୍ବାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଦଳୀୟ ପରିବର୍ତ୍ତିତ ରଣନୀତି ସ୍ଥିର କରାଯିବ ବୋଲି ଦଳର ଜନୈକ ବରିଷ୍ଠ ନେତା କହିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button