୯ ବର୍ଷ ପରେ ଭାସମାନ ଅବସ୍ଥାରେ ମିଳିଲା ନିଖୋଜ ଥିବା ଜାହାଜ
1 min read
ଆଓରି-ନୂଆଦିଲ୍ଲୀ ବ୍ୟୁରୋ-(୩/୯) : ଏକ ନିଖୋଜ ଜାହାଜର ଖବର ମିଳିଛି। ୯ ବର୍ଷ ତଳେ ଏହି ଜାହାଜଟି ହଠାତ୍ ସମୁଦ୍ରରୁ କେଉଁଆଡ଼େ ଉଭେଇ ଯାଇଥିଲା। ସୈମ୍ ରତାଉଲାଙ୍ଗି ପିବି -୧୬୦୦ ନାମକ ଏହି ଜାହାଜ ଭାରତ ମହାସାଗର ମିଆଁମାର ଉପକୂଳରେ କଳଙ୍କିଲଗା ଅବସ୍ଥାରେ ଭାସୁଥିବାର ଦେଖାଯାଇଛି। ଏଥିରେ ଚାଳକ ଦଳ ସଦସ୍ୟ କିମ୍ବା କୌଣସି ଲୋକଙ୍କୁ ଦେଖିବାକୁ ମିଳି ନ ଥିଲା। କିଛି ଧୀବର ଏହାକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏନେଇ ମିଆଁମାର ପୋଲିସ ପକ୍ଷରୁ ତଟରକ୍ଷୀ ବାହିନୀଙ୍କୁ ଖବର ଦିଆଯିବା ସହିତ ଏହାର ଫଟୋ ଫେସବୁକ୍ରେ ଅପଲୋଡ୍ କରାଯାଇଛି। ଜାହାଜ ଉପରେ ଇଣ୍ଡୋନେସିଆର ପତାକା ଲାଗିଛି। ଏହାର ଟ୍ରାନ୍ସପଣ୍ଡରକୁ ଶେଷ ଥର ପାଇଁ ୨୦୦୯ରେ ତାଇୱାନ ନିକଟରେ ଠାବ କରାଯାଇଥିବା କୁହାଯାଉଛି। ଏହା ପରଠାରୁ ଜାହାଜ ନିଖୋଜ ଥିଲା। ଏବେ ଭାସମାନ ଏହି ଜାହାଜରେ କେହି ଜୀବିତ ଅଛନ୍ତି କି ନାହିଁ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାହାଜଟି ୨୦୦୧ରେ ନିର୍ମାଣ କରାଯାଇଥିଲା।