ଜିଲ୍ଲା

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ଆ.ଓ.ରି(ତା୫|୬)-ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ। ଜିଲ୍ଲାପାଳଙ୍କ ନିକଟରେ ଥିବା ଚାବି ହଜିବାକୁ ସ୍ୱୀକାର କରିବା ସହ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ଅଛି ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଗତ ଏପ୍ରିଲ୍ ୪ ପୂର୍ବରୁ ଜିଲ୍ଲାପାଳ ଚାବି ନ ଥିବା ଜଣାଇଥିଲେ। ଶେଷଥର ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା।  ସେତେବେଳେ ୩ଟି ତାଲା ମଧ୍ୟରୁ ଗୋଟିକରେ ଜଉମୁଦ  ଦିଆଯାଇଥିଲା, ଯାହା ଅଦ୍ୟାବଧି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି।  ତେଣୁ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଟାର୍ଗେଟ୍ କରିଛନ୍ତି ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର।  ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାମକୃଷ୍ଣ କହିଛନ୍ତି,  ଗଜପତି ଘରର ମୁରବୀ, ସେ ଏନେଇ ପଦକ୍ଷେପ ନେବା କଥା। ଏହି ପ୍ରସଙ୍ଗରେ ଗଜପତି ଜରୁରୀ ବୈଠକ ଡାକି ଆଲୋଚନା କରନ୍ତୁ।  ସେହିପରି ଭଣ୍ଡାର ଘରର ଅନ୍ୟ ଏକ ଚାବି ଗଜପତିଙ୍କ ପାଖରେ ରହିବା କଥା, ତେଣୁ ତାହା ଅଛି ନା ନାହିଁ ସେ ସ୍ପଷ୍ଟ କରନ୍ତୁ ବୋଲି ରାମକୃଷ୍ଣ କହିଛନ୍ତି। ତେବେ ଏନେଇ ଗଜପତି ମହାରାଜଙ୍କ ପ୍ରତିକ୍ରିୟା ମିଳିନାହିଁ।

 

Related Articles

Leave a Reply

Your email address will not be published. Required fields are marked *

Back to top button