ସ୍ୱାସ୍ଥ୍ୟ

ଚମ୍ପା ଫୁଲ ର ଔଷଧୀୟ ବ୍ୟବହାର

ଆ.ଓ.ରି(ତା୨୫|୫)-

ଚମ୍ପା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତଚମ୍ପା, କନକଚମ୍ପାଭେଦରେ ଏହା ଦୁଇ ପ୍ରକାରର । ଏହା ଛଡ଼ା ଗୋବରି ଚମ୍ପା, ଜହୁରି ଚମ୍ପା, ଚିନିଚମ୍ପା ବା ଚେଣିଚମ୍ପା, ଦୋଳିଚମ୍ପା, ଭୁଇଁ ଚମ୍ପା, ସୁଲତାନୀ ଚମ୍ପା ଓ କାଠଚମ୍ପା ପରି ଅନେକ ପ୍ରକାରର ଚମ୍ପା ରହିଛି। ହେଲେ ଏଗୁଡ଼ିକ ଚମ୍ପକ ଜାତିର ନୁହେଁ । ଏଥି ମଧ୍ୟରେ ଶ୍ୱେତ ଓ କନକଚମ୍ପା ପ୍ରଧାନ । କନକଚମ୍ପା ଏମାନଙ୍କ ଭିତରେ ଶ୍ରେଷ୍ଠ, ଏହାର ଫୁଲ ହଳଦିଆ ରଙ୍ଗର ଓ ସୁଗନ୍ଧଯୁକ୍ତ । ଚମ୍ପାଫୁଲ ଭିତରେ ଥିବା କେଶରରେ ଅତି ଛୋଟ ଛୋଟ ପୋକ ରହିଥାନ୍ତି। ଏହାକୁ ଶୁଙ୍ଘିଲାମାତ୍ରେ ସେମାନେ ନାସା ପଥକୁ ଯାଇ କ୍ଷତ ଜନ୍ମାନ୍ତି । ଫଳରେ ପୀନସ ରୋଗର ସୂତ୍ରପାତ ହୁଏ । ତେଣୁ ଚମ୍ପା ଫୁଲକୁ ଶୁଙ୍ଘିବା ନିଷେଧ। ନାଗଚମ୍ପା ନାମରେ ଆଉ ଏକ ପ୍ରକାର ଚମ୍ପା ମଧ୍ୟ ରହିଛି ।

ଚମ୍ପାଫୁଲର ତୀବ୍ରଗନ୍ଧ ଯୋଗୁଁ ଏଥିରେ ଭଅଁର ବସେନାହିଁ । ଏହି ଗଛର କାଠ ବହୁତ ମଜବୁତ ।

 

ଚମ୍ପା ଫୁଲର ଔଷଧୀୟ ବ୍ୟବହାର

ମୁଖ୍ୟତଃ ଏହାର ପତ୍ର ଫୁଲ ଓ ଛେଲିକୁ ଔଷଧ ରୂପରେ ବ୍ୟବହାର କରାଯାଏ।

ଜ୍ୱର, କାଶ, କୃମି, ବାୟୁ ବିକୃତି, ପେଟ କାମୁଡା, ଶୂଳ ଆଦିରେ ଏହାର ପତ୍ରର ରସକୁ ମହୁ ସହିତ ସେବନ କରାଯାଏ।

ଯାବତୀୟ ଚର୍ମ ରୋଗରେ ଚମ୍ପା ପତ୍ରକୁ ହଳଦୀ ସହିତ ବାଟି ଲଗାଯାଏ।

ଗୋଡ଼ ଫଟାରେ ଏହାର ଫଳକୁ ବାଟି ଲଗାଯାଏ।

ପ୍ରମେହାଦିରେ ଏହାରୁ ଫୁଲକୁ ଜଳରେ ସିଝାଇ ସେବନ କରାଯାଏ।

ବ୍ରଣ ଓ ବାଗୀ ଆଦିରେ ଏ ଗଛର ମୂଳ ଓ ଛେଲିକୁ ଘୋଳଦହିସହିତ ବାଟି ଲେପ ଦିଆଯାଏ।

ଉନ୍ମାଦ ଓ ଅପସ୍ମାର ଆଦିରେ ଏହାର ତଟକା ପତ୍ରକୁ ଗାଈଘିଅ ଲଗାଇ ମୁଣ୍ଡରେ ଦେଇ ତା’ ଉପରେ ପଗଡ଼ି ବାନ୍ଧିଲେ ଉପକାର ମିଳେ।

ପିଲାମାନଙ୍କ କୃମିରେ ଚମ୍ପାପତ୍ରର ରସ ସହିତ ସମପରିମିତ ଅଦାରସ ମିଶାଇ ଖାଇଲେ ଉପକାର ମିଳେ।

ଚମ୍ପା ଗଛର ଛେଲିକୁ ଶୁଖାଇ କୁଟି ଚୂର୍ଣ୍ଣ କରି, ତାକୁ ରାଶି କିମ୍ବା ନଡ଼ିଆ ତେଲରେ ସାତ ଦିନ ପର୍ଯ୍ୟନ୍ତ ଭେଦାଇ ଛାଣି ମୁଣ୍ଡରେ ଲଗାଇଲେ ଉକୁଣି ଦୂର ହୁଅନ୍ତି।

ଆମବାତ, ଆଣ୍ଠୁଗଣ୍ଠି ଦରଜ ଓ ମୁଣ୍ଡ ବ୍ୟଥାରେ ଏହାର ଫୁଲକୁ ତେଲ ସହିତ ପ୍ରୟୋଗ କରାଯାଏ।

ବାଳ ଝଡୁଥିଲେ ଚମ୍ପାଫୁଲକୁ ନଡ଼ିଆ ତେଲରେ ପକାଇ, ତାକୁ କିଛି ଦିନ ରଖି ସେହି ତେଲକୁ ମୁଣ୍ଡରେ ମାରିଲେ ଚୁଟି ଉପୁଡା ବନ୍ଦ ହୁଏ।

ଚମ୍ପାଗଛ ମୂଳରୁ ଛେଲି ଆଣି ପାଣିରେ ସିଝାଇ, ଛାଣି ସେହି ପାଣିରେ ମିଶ୍ରି ଗୁଣ୍ଡା ମିଶାଇ ପାନ କଲେ ଋତୁସ୍ରାବ ହୋଇ ପେଟ ଭଲ ରହେ।

ଚମ୍ପାପତ୍ରକୁ ଅତି ଚିକ୍କଣ କରି ବାଟି ଗୋବରେ ମିଶାଇ ଲିପିଲେ, ସେ ଘରୁ ଅସରପା ଚାଲି ଯାଆନ୍ତି।

ଚମ୍ପାପତ୍ର, କୁକୁର ଛେଲିଆପତ୍ର ଓ ହଳଦୀ ଏ ତିନି ଦ୍ରବ୍ୟକୁ ଏକାଠି ବାଟି ପିଲାମାନଙ୍କ ଦେହରେ ଲେପ ଦେଲେ ଫୋଟକା ଆଦି ଭଲ ହୋଇଯାଏ।

ଚମ୍ପା ଶିବଙ୍କର ଅତି ପ୍ରିୟ ପୁଷ୍ପ। ପୁତ୍ରକାମୀ ବ୍ୟକ୍ତି ଶିବଙ୍କୁ ଆଶ୍ରୟ କରି ଏକଲକ୍ଷ ଚମ୍ପାଫୁଲ ଶିବଙ୍କୁ ଅର୍ପଣ କଲେ ପୁତ୍ରଲାଭ କରେ ବୋଲି ବିଶ୍ୱାସ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button