ରାଜ୍ୟ

ମୋଦି ସରକାରଙ୍କ ୫ ବର୍ଷ ସଫଳତାର ହିସାବ ଦେଲେ ଗଡ଼କରୀ

ଆଓରି-ଭୁବନେଶ୍ଵର(୦୬/୦୨) : ହୋଟେଲ ମେ’ଫେୟାରରେ ଆୟୋଜିତ ଏକ ବିୁଦ୍ଧିଜୀବୀଙ୍କ ସଭାରେ କେନ୍ଦ୍ର ପରୀବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗ ଦେଇ ମୋଦି ସରକାରଙ୍କ ସପଳତା ବଖାଣିଛନ୍ତି । ସେ କହିଛନ୍ତି ମୋଦି ସରକାର ଯାହା କହିଛନ୍ତି, ତାହା କାର୍ଯ୍ୟରେ କରି ଦେଖାଇଛନ୍ତି । ଗଡ଼କରୀ କହିଛନ୍ତି ଯେ, ମୋଦି ସରକାର ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଭାଜପାର ସକରାର ଆସିଲେ ଦେଶରେ ସ୍ୱଚ୍ଛ ସରକାର ଶାସନ ଚାଲିବ । ଏହା ସହ ଗରିବ ଲୋକଙ୍କ ଦୁଃଖ ଦୂର ହେବ । ଦେଶକୁ ଭ୍ରଷ୍ଟାଚାର ମୁକ୍ତ ଏବଂ ଆର୍ଥିକ ସ୍ଥିତିରେ ଦେଶକୁ ମଜଭୁତ୍‌ କରିବା ମୋଦି ସରକାରଙ୍କ ଲକ୍ଷ ଥିଲା । ଯାହା ଆଜି ସଫଳ ହେବାରେ ଲାଗିଛି ।

ଆଜି ପ୍ରତି ଗରିବ ମହିଳାଙ୍କୁ ଉଜ୍ଜଳା ଯୋଜନା ମାଧ୍ୟମରେ ମାଗଣା ଇନ୍ଧନ ମିଳୁଛି । ଗ୍ୟାସ୍‌ ବ୍ୟବହାର କରିବାରେ ସାରା ବିଶ୍ୱରେ ଦ୍ୱତୀୟ ସ୍ଥାନରେ ରହିଛି ଭାରତ । ବର୍ତ୍ତମାନ ସୁଦ୍ଧା ୬ କୋଟି ଲୋକଙ୍କୁ ଗ୍ୟାସ୍‌ ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ପାଖାପାଖି ୮ କୋଟି ଲୋକଙ୍କୁ ଗ୍ୟାସ ଯୋଗାଇ ଦିଆଯିବ ବୋଲି ଯୋଜନା ରହିଛି । ଆଗାମୀ ଦିନରେ ଦେଶରେ ୧୨ କୋଟି ଲୋକଙ୍କୁ ମାଗଣା ଗ୍ୟାସ୍‌ ଯୋଗାଇବାର ଯୋଜନା କରାଯାଉଛି । ଏହି ଉଜ୍ଜଳା ଗ୍ୟାସ୍‌ ଯୋଗୁଁ ପ୍ରଦୁଷଣ କମ୍‌ ହେବା ସହ ମହିଳାମାନେ ସୁରକ୍ଷିତ ଭାବେ ରୋଷେଇ କରିପାରୁଛନ୍ତି । ତାଙ୍କ ନିଜ ପରିବାର ପାଇଁ ଏବେ ମହିଳାମାନେ ସମୟ ଦେଇ ପାରୁଛନ୍ତି । ମହିଳାମାନେ ଅଧିକ ସମୟ ପାଇବା ଦ୍ୱାରା କିଛି ମାତ୍ରାରେ ସ୍ୱାବଲମ୍ବି ମଧ୍ୟ ହୋଇ ପାରିଛନ୍ତି ।

ଭାଜପା ସରକାର ଆସିବା ପୂର୍ବରୁ ସାରା ଦେଶରେ 18% ଲୋକଙ୍କ ଘରେ ବିଜୁଳି ସଂଯୋଗ ନଥିଲା  ।  କିନ୍ତୁ ଏବେ ସମସ୍ତଙ୍କୁ ମାଗଣା ବିଜୁଳି ଯୋଗାଇବାରେ ଏହି ସରକାର ସଫଳ ହୋଇଛି । ଦେଶରେ ମାତ୍ର ସାଢେ ତିନି କୋଟି ଲୋକଙ୍କ ବ୍ୟାଙ୍କରେ ଆକାଉଣ୍ଟ ରହିଥିଲା । କିନ୍ତୁ ମୋଦି ସରକାରଙ୍କ ଜନଧନ ଯୋଜନା ମାଧ୍ୟରେ ଏବେ ୩୪ କୋଟି ଲୋକଙ୍କର ବ୍ୟାଙ୍କରେ ଖାତା ଖୋଲାଯାଇଛି ।

ପରିବହନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ କେବଳ ଅଢେଇ ଲକ୍ଷ କୋଟି ଟଙ୍କାର କାମ ଚାଲୁ ରହିଛି ବୋଲି ଗଡ଼କରୀ କହିଛନ୍ତି । ଅଧିକାଂଶ କାମ ସରିଥିବା ବେଳେ କିଛି କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି ଓ କିଛି କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ଗଡ଼କରୀ । ସାରା ଓଡ଼ିଶାରେ ପ୍ରତ୍ୟେକ ସ୍ଥାନରେ ଏବେ କିଛି ନା କିଛି କାମ ଚାଲିଛି । କଂଗ୍ରେସ ସମୟରେ ମାସକୁ ୨ କିମି ରାସ୍ତା ତିଆରି ହେଉଥିବା ବେଳେ ଭାଜପା ସରକାର ସମୟରେ ଏହା ୨୮ କିମି ମାସକୁ କାମ ଚାଲୁଛି । ଆଗକୁ ଏହା ୪୦ କିମି ପ୍ରତି ମାସରେ କାମ ହେବ ବୋଲି କହିଛନ୍ତି ଗଡ଼କରୀ । ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଛନ୍ତି ମୋଦି ସରକାର ।

ଆୟୁଷ୍ମାନ ଯୋଜନା କଥା କହିବାକୁ ମଧ୍ୟ ଭୁଲି ନାହାନ୍ତି ଗଡ଼କରୀ । ସେ କହିଛନ୍ତି ସାରା ବିଶ୍ୱରେ ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି ମୋଦି ସରକାର । ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରାଇବାର ବ୍ୟବସ୍ଥା କରାଯାଇଛି ଏହି ଯୋଜନାରେ । ବର୍ତ୍ତମାନ ସୁନ୍ଧା ୧୦ ଲକ୍ଷ ଲୋକ ଏହାର ସୁବିଧା ପାଇସାରିଲେଣି ।

ବର୍ତ୍ତମାନ ସୁଦ୍ଧା ଭାଜପା ସରକାର ବିରୋଧରେ କେହି ବି ଭ୍ରଷ୍ଟାଚାରର ଆରୋପ ଲଗାଇପାରିବ ନାହାନ୍ତି । ଭ୍ରଷ୍ଟାଚାର ମୁକ୍ତ ସରକାର ଦେବାରେ ବିଜେପି ସଫଳ ହୋଇଥିବା କହିଛନ୍ତି ଗଡ଼କରୀ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଦେଶରେ ଏହି ୫ ବର୍ଷ ମଧ୍ୟରେ ୯୦ ହଜାର ଗାଁକୁ ଯୋଡ଼ାଯାଇଛି ।

ତେବେ ବିରୋଧୀମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗଡ଼କରୀ । ସେ କହିଛନ୍ତି ଆଜି ମୋଦି ସରକାର ସହ ଲଢେଇ କରିବା ପାଇଁ ବିରୋଧୀଙ୍କ ପାଖରେ ଅସ୍ତ୍ର ନାହିଁ । ତେଣୁ ସେମାନେ ଲୋକଙ୍କ ମନରେ ମିଛ ଭୟ ସୃଷ୍ଟି କରୁଛନ୍ତି । ବିରୋଧୀ କହୁଛନ୍ତି ଯେ, ମୋଦି ସରକାର ଆସିଲେ ମୁସଲ୍‌ମାନଙ୍କର ଖରାପ ହେବ, ଦଳିତଙ୍କ ସେମାନଙ୍କ ହକ୍‌ ମିଳିବ ନାହିଁ ଏଭଳି ବିଭିନ୍ନ ମିଥ୍ୟା ପ୍ରଚାର କରି ଲୋକଙ୍କ ମନରେ ବିରୋଧୀ ମାନେ ଭୟ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଗଡ଼କରୀ । ଜାତିବାଦ ଓ ସାମ୍ପ୍ରଦାୟିକତା କଥା କହି ଲୋକଙ୍କୁ ବିଭାଜନ କରି ବିରୋଧୀ ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛି ବୋଲି ମଧ୍ୟ କହିଛନ୍ତି ଗଡ଼କରୀ ।

ପୂର୍ବରୁ ଭାଜପା ଗରିବ ଲୋକଙ୍କୁ ଘର ଯୋଗାଇବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଆଜି ପୁରଣ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଢ କୋଟି ଲୋକଙ୍କୁ ଆମେ ଘର ଯୋଗାଇ ସାରିଛୁ । ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ।

ଗରିବ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ୧୦% ରେ କୌଣସି ଜାତିକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ଏହା କେବଳ ଗରିବଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ସେ କହିଛନ୍ତି । ଭାଜପାର ଏହି ୫ ବର୍ଷ ସରକାର ମଧ୍ୟରେ ୧୦୦ ଟି ବିମାନବନ୍ଦର ନିର୍ମାଣ କରାଯାଇଛି । ଖାଲି ସେତିକି ନୂହେଁ ବିମାନ ଟିକଟ ଦରରେ ମଧ୍ୟ ହ୍ରାସ କରାଯାଇଛି । ଏହା ସହ ୧୦ ହଜାର କିଲୋମିଟର ରେଲବାଇ ଲାଇନ ନୂଆ କରାଯାଇଛି ।

ଆଗାମୀ ଦିନରେ ଇଲେକ୍ଟ୍ରିକ୍‌ କାର୍‌ ଏବଂ ଇଲେକ୍ଟ୍ରିକ୍‌ ବସ୍‌ ଚାଲିବାର ଯୋଜନା ମଧ୍ୟ କରାଯାଉଛି । ଓଡ଼ିଶା ଜଙ୍ଗଲରେ ପ୍ରଚୁର ମାତ୍ରାରେ ବାୟୋ ଇନ୍ଧନ ଉତ୍ପାଦନ କରିବାର ବ୍ୟବସ୍ଥା ରହିଛି ଏବଂ ସେହି ଗ୍ୟାସ୍‌ ଦ୍ୱାରା ଯୁଦ୍ଧ ବିମାନ ମଧ୍ୟ ଚଳାଚଳ ହୋଇପାରୁଛି ବୋଲି କହିଛନ୍ତି ଗଡ଼କରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button