ରାଜ୍ୟ

ଫେବୃୟାରୀ ୨୨ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଆଓରି-ଭୁବନେଶ୍ଵର(୧୬/୦୨) : ଫେବୃୟାରୀ ୨୨ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଶିକ୍ଷା ବ୍ୟବସ୍ଥାର ସାଧାରଣ ଭୁଲ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଗତଥର ପରି ଏଥର ଯେମିତି ପ୍ରଶ୍ନପତ୍ର ଭାଇରାଲ ନ ହୁଏ, ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବ୍ୟକ୍ତିବିଶେଷ ମୋବାଇଲ୍ ଧରି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଜାରି କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ଡିଇଓଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଏଥିସହ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ଯ୍ୟାଳୟ, ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଓ ଏହା ଅଧୀନରେ ଥିବା ବିଭିନ୍ନ ଜୋନାଲ୍ କାର୍ଯ୍ୟାଳୟରେ ବି କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି । ଡିଇଓମାନେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରି ପରୀକ୍ଷା ସୁପରିଚାଳନାର ତଦାରଖ କରିବେ । ଗସ୍ତ ସମୟରେ ଯଦି କୌଣସି ଅନିୟମିତତା ଦୃଷ୍ଟିକୁ ଆସେ, ତେବେ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

କପି ରୋକିବା ପାଇଁ ବିଭିନ୍ନସ୍ତରରେ ସ୍ୱାର୍ଡ ଗଠନ କରିବାକୁ କୁହାଯାଇଛି । ପରିଷଦ ପକ୍ଷରୁ ସ୍ୱାର୍ଡ ଗଠନ ହୋଇଛି । ବିଭାଗୀୟ ମନ୍ତ୍ରୀ, ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିକାରୀମାନେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଅଚାନକ ଗସ୍ତ କରିବେ । ମାର୍ଚ୍ଚ ୮ରେ ପରୀକ୍ଷା ସରିବା ପରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୫ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ ଶେଷ ହେବ । ତେଣୁ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଆବଶ୍ୟକୀୟ ଡାଟା ଏଣ୍ଟ୍ରି ଅପରେଟର୍ ଓ ମୂଲ୍ୟାୟନକାରୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button