ରାଜ୍ୟ

ସକ୍ରିୟ ହେଉଛି ମୌସୁମି: ବର୍ଷା ୪୮ଘଣ୍ଟା

ଆଓରି-ଭୁବନେଶ୍ୱର(୨୭/୬) : ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଧୀରେ ଧୀରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେଉଛି। ମଙ୍ଗଳବାର ସୁଦ୍ଧା ବଲାଙ୍ଗିର, ଝାରସୁଗୁଡ଼ା ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲାକୁ ମୁହାଁଇଥିବା ମୌସୁମି ଆସନ୍ତା ୪୮ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଥିବାବେଳେ ବିହାର ଓ ପଶ୍ଚିମବଙ୍ଗ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ପଯ୍ୟନ୍ତ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୧୦୨ମିମି ବର୍ଷା ରେକର୍ଡ଼ କରାଯାଇଛି। ବାରିପଦାରେ ୭୬ମିମି ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ୨୮, ପାରାଦ୍ୱୀପରେ ୪୧ମିମି ବର୍ଷିଛି। ଆଜି ସନ୍ଧ୍ୟା ସୁଦ୍ଧା ଫୁଲବାଣୀରେ ସର୍ବାଧିକ ୨୬ମିମି ବର୍ଷା ହୋଇଥିବାବେଳେ ପୁରୀରେ ୧୪, କଟକରେ ୧୦ ଓ ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବା ସହିତ ଝିପି ଝିପି ବର୍ଷା ହୋଇଛି। ଆସନ୍ତାକାଲି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ, ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାଛଡ଼ା ମୌସୁମି ସକ୍ରିୟ ହେଲେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୪୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଓୟୁଏଟି କୁଳପତି ତଥା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୩୦ତାରିଖ ସୁଦ୍ଧା ରାଜ୍ୟରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‍ରେ କମ୍‍ ବର୍ଷା ହୋଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button