ରାଜ୍ୟ

ଆଜି ବିଜେଡିର ପ୍ରସ୍ତୁତି ବୈଠକ -୨୨ରେ ମହାନଦୀ ସମ୍ମିଳନୀ

ଆଓରି(ତା୧୫|୪)- ବିଜେଡି ପକ୍ଷରୁ ରବିବାର(୧୫ ତାରିଖ)ରେ ହେବାକୁ ଥିବା ମହାନଦୀ ସମ୍ମିଳନୀକୁ ଆସନ୍ତା ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୫ରେ ଦଳ ରାଜ୍ୟ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ସମ୍ମିଳନୀ ତାରିଖ ଘୁଞ୍ଚାଇ ଦିଆଯାଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି। ପ୍ରସ୍ତୁତି ବୈଠକରେ ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ଓ ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ମହାନଦୀ ପ୍ରବାହିତ ହେଉଥିବା ୧୫ଟି ଜିଲାର ମନ୍ତ୍ରୀ, ସାଂସଦ, ବିଧାୟକ, ବ୍ଲକ ଓ ପୌର ପରିଷଦର ଅଧ୍ୟକ୍ଷ, ବ୍ଲକ ସଭାପତି, ରାଜ୍ୟ କାର୍ଯ୍ୟକର୍ତ୍ତା ଏବଂ ଯୁବ ଓ ଛାତ୍ର ପ୍ରତିନିଧି ୨୨ ତାରିଖରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ମହାନଦୀ ଟ୍ରାଇବୁନାଲ ଗଠନ କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଟମର୍ସ ଅଫ ରିଫରେନ୍ସ ଜାରି କରୁନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ରାଜ୍ୟର ଚାଷୀ ତଥା ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷା ନେଇ କେନ୍ଦ୍ରର ଓଡ଼ିଶା ବିରୋଧୀ ନୀତିକୁ ବିରୋଧ କରି ବିଜେଡି ଏହି ସମ୍ମିଳନୀରେ ପରବର୍ତ୍ତୀ ରଣକୌଶଳ ସ୍ଥିର କରିବ।
ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ଚଳାଇଥିବା ସମସ୍ତ ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଲାଗୁ କରିବା ଏବଂ ଟ୍ରାଇବୁନାଲର ଟର୍ମସ ଅଫ ରିଫରେନ୍ସ ପ୍ରସ୍ତୁତ କରି ମହାନଦୀ ଟ୍ରାଇବୁନାଲକୁ କାର୍ଯ୍ୟକ୍ଷମ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।ସୂଚନାଯୋଗ୍ୟ ଯେ ଶୁକ୍ରବାର ବିଧାନସଭାରେ ମହାନଦୀର ସୁରକ୍ଷା ଉପରେ ଦୀର୍ଘ ସମୟ ଆଲୋଚନା ପରେ ଟ୍ରାଇବୁନାଲ କାର୍ଯ୍ୟକ୍ଷମ କରାଇବା ନେଇ ସର୍ବସମ୍ମତ ସହମତି ପ୍ରକାଶ ପାଇଥିଲା। ଗୃହର ଉଦ୍‍ବେଗକୁ ବାଚସ୍ପତି କେନ୍ଦ୍ର ସରକାରଙ୍କୁ ଅବଗତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। 

Related Articles

Leave a Reply

Your email address will not be published. Required fields are marked *

Back to top button