ଜିଲ୍ଲାରାଜନୀତି

ମହାନଦୀ ବିବାଦ : ରଣନୀତି ଅନ୍ଧାରରେ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ୧୭ ତାରିଖରେ ତ୍ରିପାକ୍ଷିକ ଆଲୋଚନା ହେବା ପୂର୍ବରୁ ରାଜ୍ୟ ସରକାର ଡାକିଥିବା ଆଜିର ବୈଠକ ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଓଡ଼ିଶାର ରଣନୀତି କଣ ହେବ ସେନେଇ ସରକାର ସମସ୍ତଙ୍କୁ ଅନ୍ଧାରରେ ରଖିଛନ୍ତି। ଏସଂପର୍କରେ ବିଭିନ୍ନ ଦଳର ନେତାମାନଙ୍କ ସହିତ ବିଚାରବିମର୍ଶ କରିବା ପରିବର୍ତେ ଯେଉଁ ନେତା ଓ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ବୈଠକ କଲେ ତାହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ଓଡ଼ିଶାର ଜୀବନ ରେଖା ବୋଲି କୁହାଯାଉଥିବା ତଥା ୧୫ଟି ଜିଲ୍ଲା ଲୋକଙ୍କ ଜୀବନ ଜୀବିକା ସହିତ ସିଧାସଳଖ ଯୋଡି ହୋଇଥିବା ମହାନଦୀର ସ୍ୱାର୍ଥ ସଂପର୍କିତ ଏତେ ବଡ଼ ପ୍ରସଙ୍ଗକୁ ଯେଭଳି ହାଲକା ଭାବେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି, ତାହା ଦେଖି  ଶାସକ ବିଜେଡିର ତୁଙ୍ଗ ନେତାମାନେ ମଧ୍ୟ ହତବାକ୍‌।
ମହାନଦୀ ଜଳ ବିବାଦକୁ ନେଇ ଗତ ଜୁନ୍‌ ମାସରୁ ରାଜ୍ୟରେ ତମ୍ବିତୋଫାନ ଚାଲିଛି।  ରାଜ୍ୟ ସରକାର ତିନି ମାସ ଧରି ଏହି ପ୍ରସଙ୍ଗ ଉପରେ ଠୋସ୍‌ କୌଣସି ପଦକ୍ଷେପ ନେଲେନି। ଗଣମାଧ୍ୟମ ଖବରକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ବିଜେଡି ପଶ୍ଚିମ ଓଡ଼ିଶାରେ ଉଜୁଡୁଥିବା ଭୋଟ ବ୍ୟାଙ୍କକୁ ସଜାଡ଼ିବା ଲାଗି ଏହି ପ୍ରସଙ୍ଗକୁ ବ୍ୟବହାର କଲା। ସେପଟେ ଜଳସଂପଦ ବିଭାଗର ପ୍ରଶାସନିକ ଅଧିକାରୀ ପତ୍ର ଯୁଦ୍ଧରେ ମାତିଲେ।
ଏତେ ଲମ୍ବା ସମୟ ମିଳିଥିଲେ ହେଁ, ନିଜେ ଜଳସଂପଦ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଲେ ନାହିଁ। ମହାନଦୀ ଅବବାହିକା ସଂପର୍କରେ ରାଜ୍ୟର ଅଭିଜ୍ଞ ବିଶେଷଜ୍ଞଙ୍କୁ ଡାକି ଥରେ ସଚିବାଳୟରେ ବୈଠକ ବି କରାଗଲାନାହିଁ। ଓଲଟା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକକୁ ଶାସକ ଦଳ ପ୍ରତ୍ୟାଖ୍ୟାନ କଲା। ଏବେ ସବୁ ବାଦ ବିବାଦ ଭିତରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗ ଉପରେ ତ୍ରିପାକ୍ଷିକ ଆଲୋଚନା ଲାଗି ବୈଠକ ଡାକିଛନ୍ତି। ଆସନ୍ତା ୧୭ ତାରିଖ ଦିନ ଏ ବୈଠକ ବସିବ। ହେଲେ ଏହି ବୈଠକରେ ଓଡ଼ିଶାର ଆଭିମୁଖ୍ୟ କ’ଣ ରହିବ,  ତାହା ସରକାର ପ୍ରକାଶ କରୁନାହାନ୍ତି। ରାଜ୍ୟ ସରକାରଙ୍କର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ଏ ତଥ୍ୟ ଏବେ ଦେଇ ହେବ ନାହିଁ।
ଆଜି ସଚିବାଳୟରେ ଅନୁଷ୍ଠିତ ବୈଠକରେ କେତେକ ମନ୍ତ୍ରୀଙ୍କ ଉପସ୍ଥିତି ବିସ୍ମୟ ସୃଷ୍ଟି କରିଛି। ଖୋଦ୍‌ ଶାସକ ଦଳ ନେତାମାନେ ମଧ୍ୟ ତାଜୁବ।  ସଚିବାଳୟରେ ଏହାକୁ ନେଇ ଖୋଲାଖୋଲି ଆଲୋଚନା ହୋଇଛି। ସେମାନଙ୍କ ମତରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଛାଡିଦେଲେ, ବୈଠକରେ ଯୋଗଦେଇଥିବା ଅନ୍ୟ ତିନି ମନ୍ତ୍ରୀ ବିକ୍ରିମ କେଶରୀ ଆରୁଖ, ଉଷା ଦେବୀ ଓ ବିଜୟଶ୍ରୀ ରାଉତରାୟ ମହାନଦୀ ସହିତ ଜଡ଼ିତ ନାହାନ୍ତି। ନା ଏମାନେ କେବେ ଜଳସଂପଦ ବିଭାଗ ଦାୟିତ୍ୱରେ ଥିଲେ ନା ମହାନଦୀ ଅଞ୍ଚଳର ଲୋକ। ଏପରିକି ଏମାନଙ୍କ ବିଭାଗ ସହିତ ମଧ୍ୟ ମହାନଦୀର କିଛି ସଂପର୍କ ନାହିଁ।
ସେହିପରି ଜଳ ସଂପଦ ବିଭାଗର ଯେଉଁ ଅଫିସରମାନଙ୍କୁ ବସାଇ ରାଜ୍ୟ ସରକାର ଛତିଶଗଡ଼ ବିରୋଧରେ ଯୁଦ୍ଧ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଫିସର ଏହି ବିବାଦ ଓ ଓଡ଼ିଶାର ବିଫଳତା ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଦାୟୀ। କାରଣ ଛତିଶଗ଼଼ଡ଼ ସରକାର ଏତେ ପ୍ରକଳ୍ପ କରିଦେଲେ ଓ ଓଡ଼ିଶା ସାମାନ୍ୟତମ ସୁରାକ ପାଇପାରିଲା ନାହିଁ। ଏଭଳି ଅଧିକାରୀଙ୍କ ପରାମର୍ଶ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ କେତେଦୂର ସହାୟକ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି।
   ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ କିଛି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ଦେହ ପ୍ରକଟ କଲେଣି। କାରଣ, ତିନି ମାସ ଧରି ହାତବାନ୍ଧି ବସିଥିବା ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ସାଧାରଣ ଲୋକ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକର ମତାମତକୁ ସ୍ୱାଗତ କରାଯିବ। ଅର୍ଥାତ୍‌ ଯିଏ ଚାହିଁବେ ଏ ପ୍ରସଙ୍ଗରେ ମତ ଦେଲେ, ସରକାର ଏହାକୁ ବିଚାରକୁ ନେବେ। ମୁଖ୍ୟମନ୍ତ୍ରୀ ୧୬ ତାରିଖ ଦିନ ନୂଆଦିଲ୍ଲୀ ଯାଇପାରନ୍ତି। ଏ ମଝିରେ ଆଉ ତିନି ଦିନ ରହିଲା, ଯେଉଁଥିରେ ଓଡ଼ିଶାର ଦାବି ସଂପର୍କରେ ସ୍ମାରକପତ୍ର ପ୍ରସ୍ତୁତ ହେବ। ଏହି ତିନି ଦିନ ଭିତରେ ସାଧାରଣ ଲୋକେ କିଭଳି ମତ ଦେବେ, କାହାକୁ ମତ ଦେବେ, ସେସବୁ କେମିତି ସରକାର ବିଚାରକୁ ନେବେ, ଏ କଥା ବୁଝାପଡୁନାହିଁ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ମହାନଦୀ ବିବାଦ ଚାଲିଥାଉ, ସମାଧାନ ନ ହେଉ, ସରକାରଙ୍କ କାର୍ଯ୍ୟକଳାପରୁ ଏକଥା ଆଉ ବୁଝିବାକୁ ବାକି ନାହିଁ। କାରଣ ଏ ପ୍ରସଙ୍ଗ ଯେତେଦିନ ଜୀବିତ ରହିବ, ସେତେଦିନ ସରକାର ତା’ ଉପରେ ରାଜନୀତି କରିବେ।  ତେଣିକି ଓଡ଼ିଶାର ଚାଷୀ ମରୁ, ଚାଷ ଉଜୁଡୁ, ରାଜ୍ୟରେ ଜଳ ସମସ୍ୟା ସାଂଘାତିକ ହେଉ, ସେଥିରେ ସରକାରଙ୍କର କିଛି ଯାଏ ଆସେ ନାହିଁ। ତାହା ନ ହୋଇଥିଲେ, ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ମତାମତ ନେବା କ୍ଷେତ୍ରରେ ସରକାର କାଳକ୍ଷେପଣ ନୀତି ଗ୍ରହଣ କରିନଥାନ୍ତେ କିମ୍ବା ସେମାନଙ୍କୁ ହେୟ ମନେକରି ନିଜ ଅଧସ୍ତନ କର୍ମଚାରୀଙ୍କ କଥାରେ ରାଜ୍ୟ ସ୍ୱାର୍ଥ ସୁରକ୍ଷା ପାଇଁ ଅଣ୍ଟା ଭିଡିନଥାନ୍ତେ।
ପୂର୍ବତନ ଜଳସଂପଦ ମନ୍ତ୍ରୀ ବିଜୟ ମହାପାତ୍ର ମଧ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ଛତିଶଗଡ଼ ସରକାର କରିଥିବା ପ୍ରକଳ୍ପ ନିର୍ମାଣ ବନ୍ଦ ଲାଗି ଓଡ଼ିଶା ଦାବି ରଖିବ। ହେଲେ, ଯେଉଁ ସବୁ ପ୍ରକଳ୍ପ ନିର୍ମାଣ ହୋଇସାରିଛି, ସେ କ୍ଷେତ୍ରରେ କି ପଦକ୍ଷେପ ନିଆଯିବ? କେବଳ ପ୍ରକଳ୍ପ ନିର୍ମାଣ ବନ୍ଦ ହେଲେ, ଓଡ଼ିଶାକୁ ନ୍ୟାୟ ମିଳିବ ନାହିଁ। ଏଥିପାଇଁ ଇଣ୍ଟିଗ୍ରେଟେଡ୍‌ ରୁଲ୍‌ସ କର୍ଭ କରାଯିବା ଦରକାର। ମୌସୁମୀ ଓ ଅଣମୌସୁମୀ ସମୟରେ କେଉଁ ବ୍ୟାରେଜ୍‌ରୁ କେତେ ପାଣି ଛଡାଯିବ, ମହାନଦୀରେ କେତେ ପାଣିଥିଲେ, ଉପରମୁଣ୍ଡର କେଉଁ ବ୍ୟାରେଜ୍‌ କେତେ ପାଣି ଛାଡିବ, ଏସବୁ ଲେଖାପଢା ହୋଇ ଧାର୍ଯ୍ୟ ହେବା ଦରକାର। ଅନ୍ୟଥା ଆଗକୁ ସାଂଘାତିକ ବିପଦ ସୃଷ୍ଟି ହେବ।
ସେହିଭଳି କେନ୍ଦ୍ର ସରକାର ଦେଇଥିବା ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବରେ ସରକାର ରାଜି ହେବେ ନା ରିଭର ବୋ଼ର୍ଡ ଗଠନ ପ୍ରସ୍ତାବ ରଖିବେ ଅଥବା ଅନ୍ୟ କେଉଁ ବିକଳ୍ପ ସୂତ୍ର ସରକାର ନିର୍ଧାରଣ କରିଛନ୍ତି, ସେ ସଂକ୍ରାନ୍ତରେ ଏବେଠାରୁ ସ୍ପଷ୍ଟ କରିବା ଆବଶ୍ୟକ। ଓଡ଼ିଶାର ଜୀବନରେଖା ବୋଲି କୁହାଯାଉଥିବା ମହାନଦୀ ସୁରକ୍ଷା ଓ ସ୍ୱାର୍ଥ କ୍ଷେତ୍ରରେ ରାଜ୍ୟ ସରକାର ମନଇଚ୍ଛା ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ରାଜନୈତିକ ମହଲ ମତବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button