ଜାତୀୟଜିଲ୍ଲା

ମହାନଦୀ ପ୍ରସଙ୍ଗକୁ ନେଇ ବିଜେପିରେ ମତପାର୍ଥକ୍ୟ

ଭୁବନେଶ୍ୱର : ମହାନଦୀ ଜଳବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଧୀରେ ଧୀରେ ବିଜେପିକୁ ଆକ୍ରାନ୍ତ କରିବା ଆରମ୍ଭ କଲାଣି। ଏହି ପ୍ରସଙ୍ଗରେ ପୂର୍ବରୁ ବିଜେପି ଭିତରେ ମତପାର୍ଥକ୍ୟ ରହିଥିଲା। ଏପରିକି ବିଜେପି ନେତୃତ୍ୱାଧୀନ ଛତିଶଗଡ଼ ସରକାରଙ୍କ ମନ୍ତବ୍ୟକୁ ରାଜ୍ୟ ବିଜେପି ନେତାମାନେ ଗ୍ରହଣ କରିପାରୁନଥିଲେ। ଶନିବାର କିନ୍ତୁ ଉଭୟ ରାଜ୍ୟ ବିଜେପି ମଧ୍ୟରେ ବିବାଦ ସୀମା ଲଂଘିଛି।
ଶୁକ୍ରବାର ମହାନଦୀ ବିବାଦ ସଂପର୍କରେ ଛତିଶଗଡ଼ ବିଜେପି ନେତା ତଥା ଜଳସଂପଦ ମନ୍ତ୍ରୀ ବ୍ରିଜ ମୋହନ ଅଗ୍ରଓ୍ଵାଲ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ ବିଜେପି ନେତା ବିଜୟ ମହାପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ମହାନଦୀ ବିବାଦ ସମାଧାନ କରିବାକୁ ଉଦ୍ୟମ କରୁଥିବା ବେଳେ ବ୍ରିଜମୋହନ ବିବାଦୀୟ ବିବୃତି ଦେଇ ନିଆଁରେ ଘିଅ ଢାଳୁଛନ୍ତି। ବିଜୟଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚାର ଖୋରାକ ଯୋଗାଇଛି।
ଉଲ୍ଲେଖଯୋଗ୍ୟ, ମହାନଦୀ ବିବାଦ ନେଇ ଆସନ୍ତା ୧୭ ତାରିଖ ଦିନ ନୂଆଦିଲ୍ଲୀରେ ତ୍ରିପାକ୍ଷିକ ଆଲୋଚନା ହେବ। ଏ ନେଇ ରାଜ୍ୟ ସରକାରଙ୍କ ଚିଠି କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇଛି। ଚିଠିର ପ୍ରତିଜବାବ ମିଳିନଥିଲେ ହେଁ, କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଲାଣି। ଆଲୋଚନାରେ ଓଡ଼ିଶାର ଆଭିମୁଖ୍ୟ ସଂପର୍କରେ ବିଶଦ ଆଲୋଚନା ଲାଗି ଆସନ୍ତା ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ମାତ୍ର ଏତେ ସବୁ ପରେ ଏହି ପ୍ରସଙ୍ଗକୁ ନେଇ ବାକ୍‌ ଯୁଦ୍ଧ ଥମିବା ନାଁ ଧରୁନାହିଁ।
ଗତକାଲି ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ବ୍ରିଜ ମୋହନ ଅଗ୍ରଓ୍ଵାଲ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ, ଇନ୍ଦ୍ରାବତୀ, ତେଲ ଓ ଜଙ୍କ ନଦୀ ଉପରେ ଓଡ଼ିଶା ଡାଇଭର୍ସନ କରି ମହାନଦୀରୁ ଜଳ ନେଉଛି। ଶିଳ୍ପସଂସ୍ଥାଙ୍କୁ ଜଳ ଯୋଗାଇ ଦେଉଛି। ଏହାକୁ ବୈଠକରେ ଉଠାଯିବ। କେବଳ ସେତିକି ନୁହେଁ, ଏକଥା ବି କହିଥିଲେ ଯେ ଲୋକପ୍ରିୟତା ହରାଉଥିବା ମୁଖ୍ୟମନ୍ତ୍ରୀ ଭାବମୂର୍ତି ରକ୍ଷା କରିବା ଲାଗି ମହାନଦୀକୁ ପ୍ରସଙ୍ଗ କରିଛନ୍ତି। ନୂଆଦିଲ୍ଲୀ ବୈଠକ, ବିଜେଡି ଟିମ୍‌ର ଛତିଶଗଡ଼ ଗସ୍ତ ନେଇ ମଧ୍ୟ ଟିପ୍‌ପଣୀ ଦେଇଥିଲେ।
ଗତକାଲି ବିଜେଡି ଏହାକୁ ବିରୋଧ କରିଥିଲା। ଆଜି ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମ ସାମ୍ନାରେ ବ୍ରିଜ ମୋହନଙ୍କ ବିରୋଧରେ ବର୍ଷିଛନ୍ତି। କହିଛନ୍ତି, ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ଘଟଣାକୁ ଠିକ୍‌ ଭାବେ ବୁଝି ନାହାନ୍ତି। ତାଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ମନ୍ତବ୍ୟ ଦେଇ ସେ ବିବାଦକୁ ଆହୁରି ବଢାଇବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ମହାନଦୀ ବିବାଦର ସମାଧାନ ଚାହୁଁଛନ୍ତି। କିନ୍ତୁ ଛତିଶଗଡ଼ ବୋଧହୁଏ ଏହି ବିବାଦର ସମାଧାନ ଚାହୁଁନାହିଁ। ଛତିଶଗଡ଼ ସରକାର କରିଥିବା ସମସ୍ତ ବେଆଇନ ବ୍ୟାରେଜ ଓ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟକୁ ଘୋଡାଇବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜୟ କହିଛନ୍ତି। ବିଜେଡି ବି ଆଜି ପ୍ରତିକ୍ରିୟା ରଖିଛି।
ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସିବା ପୂର୍ବରୁ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ ବୈଠକକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। ବ୍ରିଜମୋହନଙ୍କ ମନ୍ତବ୍ୟକୁ କଂଗ୍ରେସ ମଧ୍ୟ ନିନ୍ଦା କରିଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଛତିଶଗଡ଼ ସରକାର ଆହୁରି ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଇନ୍ଦ୍ରାବତୀକୁ ନେଇ କୌଣସି ସମସ୍ୟା ନାହିଁ। ଛତିଶଗଡ଼ ସରକାର ନିଜ ଦୋଷ ଲୁଚାଇବା ପାଇଁ ଏହାକୁ ପ୍ରସଙ୍ଗ କରୁଛନ୍ତି। ତେବେ ବ୍ରିଜମୋହନଙ୍କ ବିବୃତି ଉପରେ ବିଜୟଙ୍କ ମନ୍ତବ୍ୟକୁ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ଗୁରୁତ୍ୱର ସହ ବିବେଚନା କରାଯାଉଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା, ମହାନଦୀ ପ୍ରସଙ୍ଗଟି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଉଭା ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏବେ ସତର୍କତାର ସହିତ ପଦକ୍ଷେପ ନେବା ଦରକାର। ଅନ୍ୟଥା ରାଜ୍ୟ ସ୍ୱାର୍ଥ ବିରୋଧରେ କେନ୍ଦ୍ର ଆଭିମୁଖ୍ୟ ଗ୍ରହଣ କଲେ, ରାଜ୍ୟ ବିଜେପି କ୍ଷତି ସହିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟକୁ ମଧ୍ୟ ରାଜ୍ୟ ବିଜେପି ନେତା ବିରୋଧ କରିଥିଲେ। ବିଜୟ ମହାପାତ୍ରଙ୍କ ସମେତ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀ ମଧ୍ୟ ଏହାକୁ ନାପସନ୍ଦ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button